କବି ଓ କ୍ରାନ୍ତି
କବି ଓ କ୍ରାନ୍ତି
ସମାଜରେ ଯେବେ ଭ୍ରଷ୍ଟାଚାର ବଢ଼େ
ଉଠେ ସ୍ୱର ଉତ୍ତୋଳନ
କ୍ରାନ୍ତିର ମଶାଲ ଧରି କ୍ରାନ୍ତିକାରୀ
କରନ୍ତି ପରିବର୍ତ୍ତନ ।
ଲେଖନୀମୂନରେ କବିଆଙ୍କି ଦିଏ
ସମାଜର ଚିତ୍ରପଟ
ସେ ଦୃଶ୍ୟ ନିରେଖି ଜନମାନସରେ
କ୍ରାନ୍ତିର ଜ୍ଵାଳା ପ୍ରକଟ ।
ସାହିତ୍ୟ ଅଟଇ ସମାଜ ଦର୍ପଣ
କବି ଅଟେ ସ୍ରଷ୍ଟା ତାର
ସତ୍ୟ ସ୍ଵରୂପରେ ଝଲସି ଉଠଇ
ପ୍ରତିବିମ୍ବ ସମାଜର ।
କ୍ରାନ୍ତି ଜ୍ୱାଳା ଦେବୀ ଦିଏ ଜାଳି ପୋଡ଼ି
ଅନ୍ଧ ପ୍ରଥା କୁସଂସ୍କାର
କବିର ମାନସୀ କନ୍ୟା ସେ ଅଟଇ
ସମାଜ କରେ ସଂସ୍କାର ।
କ୍ରାନ୍ତି ବଳେ କବି ସୁଧାରକ ସାଜି
ହୁଏ ଯୁଗ ପ୍ରବର୍ତ୍ତକ
କବି ବିନା କ୍ରାନ୍ତି ପାଏ ନାହିଁ ଗତି
ଉଭୟେ ପରିପୂରକ ।
କ୍ରାନ୍ତି ବିନା ଭ୍ରାନ୍ତି କେବେ ନ ତୁଟଇ.
ଭ୍ରାନ୍ତି ନ ତୁଟିଲେ, ମୁକ୍ତି
ମୁକ୍ତି ନ ମିଳିଲେ ନର ନ ଲଭଇ
କ୍ରାନ୍ତିର ଲକ୍ଷ୍ୟ ସୁଶାନ୍ତି ।
