କାଞ୍ଜିପାଣି ରେ ବର୍ଷା
କାଞ୍ଜିପାଣି ରେ ବର୍ଷା
ସେ ଜାଣେନା..
ବର୍ଷକ କେତେଦିନ , କେତେ ଋତୁ ଅବା କେତେ ମାସ
ତେଲ-ଲୁଣ-ହସ-କାନ୍ଦ-ଲୁହ-ଲହୁ ବୁଝାମଣା ହିସାବ ଖାତାରେ
ସରିଯାଏ ତା'ର ବଳକା ଆୟୁଷ..
ସେ ଜାଣେନା..
ଛୁଟିଦିନ-ଅବସର-ରଜ-ମକର ଅବା ପର୍ବ-ପର୍ବାଣୀ
ଜାଣେ ଖାଲି..
ଜୀବନ କୁରୁକ୍ଷେତ୍ରେ ବଞ୍ଚିବା ସଂଘର୍ଷ କାହାଣୀ..
ଜରାଜୀର୍ଣ ଶରୀର ସ୍ୱେଦ ସ୍ନାନ , ଝାଳୁଆ ଗନ୍ଧ ଅବା
ଭିଜା ମାଟିର ମହମହ ବାସ୍ନା
ତା'ପାଇଁ ସବୁକିଛି ଏକାକାର ଯେହ୍ନେ ଘୋରବନେ ପ୍ରିୟ ମୃଗତୃଷ୍ନା..
ସତେ କି..
ସ୍ୱପ୍ନ ସବୁ ବର୍ଷା ସାଜି ଝରୁଥିଲା
ଚାଙ୍ଗୁ ଜୁଆଙ୍ଗ ସାତସିଆଁ ଶିଆଳି ପତ୍ର ଛତା ଭାଗ୍ୟ ବଉଦରୁ
ମାଟିଛୁଇଁ ପରିଚୟ ଖୋଜୁ ଖୋଜୁ
ବାସ୍ତବତା ବନ୍ୟା ପାଣି ଫୋଟକା ଫାଟି ପଡୁଥିଲା
ଦରିଦ୍ରତା ଭୋକିଲା ପେଟରୁ..
ସେରାଏ ଚାଉଳ ଖଣ୍ଡିଏ ଫଟା ହାଣ୍ଡି ଆଉ କୁହୁଳି ଉଠୁଥିବା ଯନ୍ତ୍ରଣା ଧୂଆଁର ଦି'ଖଣ୍ଡ କାଠ ଗଣ୍ଡି
ହରଦମ୍ ଫୁଟେଇ ଚାଲିଥିଲା ପାଞ୍ଚ ପ୍ରାଣୀ କୁଟୁମ୍ବ ଭାତହାଣ୍ଡି..
ସେ ଗର୍ଜନ ଥିଲା କାହାର..?
ମେଘ ଦୁନ୍ଦୁଭି , ବେଦରଦି ସମାଜ , ନିଜ ବିବଶତା ଆତସବାଜି , ନା ଭୋକିଲା ପେଟ କମାଣ ଗର୍ଜନେ ଫୁଟି ଉଠୁଥିବା ନିରୀହ ଆଖିର..?
ଖୁବ୍ ଚେଷ୍ଟାକରି ସେ ସଳଖି ନିଏ ବିଶ୍ୱାସ ଛତ୍ର ନିଜ ଭାଗ୍ୟ ପରିସ୍ଥିତି ପ୍ରତିକୂଳ ଦିଗରେ
ହସିଉଠେ ପରିଶ୍ରମ ଉଦିତ ସୁରୁଜ
ଅସନା ଭର୍ତ୍ତି ଦୁଇ ହାତରେ ତୋଳିଦେଇ ହସର ମୁରୁଜ..
ଭାଗ୍ୟ ଗୋଟେ ଅଚଳ ଟଙ୍କା ତା' ପାଇଁ..
ପ୍ରତିଥର
ଖୁବ୍ ସନ୍ତର୍ପଣରେ ସେ ପୋଛିନିଏ କପାଳ ଲିଖନ
ଲାଲ୍ ମାଟିରେ ଲୁଚେଇ ଦେଇ ଦାରିଦ୍ର୍ଯ କଷଣ..
କେବେ କେବେ ଭସାମେଘ ଚକମକ କାର୍ ଅଟକେ ଚାଙ୍ଗୁ ଜୁଆଙ୍ଗ ଛତା କୂଳେ
କେନ୍ଦୁ-ଚାର-ପଣସ-ବଇଁଚକୋଳି-ଝୁଣା-ଲାଖ ସଙ୍ଗେ
ପରିଶ୍ରମ ମୂଲ୍ୟ ନିର୍ଦ୍ଧାରିତ ହୁଏ
ବଡବଡିଆ ବାବୁଙ୍କ ରଙ୍ଗୀନ ଚଷମା ନଜର ଆଢୁଆଳେ..
ସେ ଖୁବ୍ ଭିଜୁଥାଏ ସେବେଳେ..
ଭିତରେ ଭିତରେ
ଶହ ଶହ ଆଶା ସାଧବ ବୋହୂ ଲାଲ୍ ପାଟ ପିନ୍ଧି ଲୁହ ଲହୁ ପାଦେ ପଇରି ବାନ୍ଧି
ବୁକୁ ତଳ ବେଦନା କଦଳୀପତ୍ରରେ ସଜେଇ ହୋଇ ନିଲାମ୍ ହେଉଥାଆନ୍ତି
କାଞ୍ଜିପାଣି ଛାତି ଉପରେ..
କାଗଜ, କଲମ , ଶବ୍ଦ ଆଉ କେଇଖଣ୍ଡ ଅଚିହ୍ନା ନୋଟ ଦରଭିଜା ବର୍ଷା ଛିଟାରେ...