କାନ୍ଦୁଛି ପିତୃତ୍ୱ
କାନ୍ଦୁଛି ପିତୃତ୍ୱ
ଗୁମୁରି ଗୁମୁରି ପିତୃତ୍ୱ ଆଜି କରେ କ୍ରନ୍ଦନ
କି ନକଲା ଦଶା କି ଲୋକହସା କୁଳ ନନ୍ଦନ ।
କୋଳେଇ କାଖେଇ ଯାହାକୁ ଯତ୍ନେ ଥିଲି ବଢ଼େଇ
ସେହି ପୁଅ ଜରା ନିବାସେ ଆଣି ଦେଲା ଗଡ଼େଇ ।
ଦିନ ରାତି ଖଟି ପେଟରୁ କାଟି କଲି ମଣିଷ
କିଏ ଜାଣିଥିଲା ସେ ପୁତ୍ର ହେବ ପିତାକୁ ଵିଷ ।
ମୁମ୍ବାଇରେ ତାର ଚାକିରୀ ବଡ଼ ଇଞ୍ଜିନିୟର
ପରିଚୟ ଭୁଲି ପିତାଙ୍କୁ କଲା ସେ ହତାଦର ।
ବୋହୂ କଥାରେ ସେ ହୁଅଇ ସଦା ଉଉଠୁ ବସ
ସମୁଦୁଣୀ ଘର ଭାଙ୍ଗିଲା ଆଜି ହେଲି ବିବଶ ।
ମୁଣ୍ଡ ଝାଳ ମାରି ତୁଣ୍ଡରେ ଗଢିଥିଲି ଭଵନ
ମୁଣ୍ଡ ଗୁଞ୍ଜିବାକୁ ତହିଁରେ ହେଲିନାହିଁ ଭାଜନ ।
ପିଠି ଥାପୁଡାଇ ଶୁଆଉଥିଲି ଯା'କୁ କୋଳରେ
ଲାଠି ମାଡ଼େ ପିଠି ଫଟାଇ ଦେଲା ଶାଶୁ ବୋଲରେ
ପେଟକୁ ନଖାଇ ସାଇତି ରଖୁଥିଲି ଯା ପାଇଁ
ସେହି ପେଟେ ନାତ ମାରୁଛି ପୁଅ ପାଦ ଉଠାଇ ।
ତା ଆଖିରୁ ବହୁ ଲୋତକ ମୋଠୁଁ ବହେ ରକତ
ସେହି ପୁଅ ଏବେ କଷୁଛି ବୁଢ଼ା କାଳେ ତାକତ ।
ରୋଗ ହେଲେ ତାର ସେବାରେ ଥିଲି ଦିବସ ରାତ୍ର
ଜରା ବାସେ ରୋଗେ ସଢ଼ୁଛି ଥରେ ନ ଆସେ ମାତ୍ର
ଫାଟିଯାଏ ହୃଦ ଚିନ୍ତିଲେ ପୁତ୍ର ଦାରୁଣପଣ
ଅଟୋରେ ବସାଇ ଆଣିବା ଦୃଶ୍ୟ ହୁଏ ସ୍ମରଣ ।
ଛାଡ଼ିବା ଦିନରୁ ଏଠାରେ ତାର ଦର୍ଶନ ନାହିଁ
ପିତୃ ଦିବସରେ କାନ୍ଦୁଛି ଆଜି ମନେ ପକାଇ ।
ଥରଟିଏ ବାବୁ ଆସରେ ମୋର ରଙ୍କ ରତନ
ଦରଶନେ ଲେପ ତାପିତ ପ୍ରାଣେ ହରି ଚନ୍ଦନ ।
ମାତୃହରା ତୋର ଛେଉଣ୍ଡ ମୁଖ ଯାଉଛି ଦିଶି
ଥାଉ କୁଳ ଚନ୍ଦ୍ର ଘୋଟେ ମୋ ଭାଗ୍ୟେ ଏଅମା ନିଶି
ଯହିଁ ଥାଅ ଥାଅ ସୁଖରେ କରେ ଏହି କାମନା
ଜାଣିଛି କୁପୁତ୍ର ବୁଝିବ ନାହିଁ ପିତୃ ବେଦନା ।
ଦୟାମୟ ହରି ଭୁଂଜୁଛି ମୋର ପ୍ରାରବ୍ଧ ଫଳ
ଧନ ଶିରେ ଢାଳ ଆଶିଷ ତାର ହେଉ ମଙ୍ଗଳ ।
