କାନ୍ଦୁଛି ଭାରତ ମା
କାନ୍ଦୁଛି ଭାରତ ମା
ଶୋଇଥିଲି କାଲି ସ୍ୱପ୍ନେ ମୁଁ ଦେଖିଲି
କାନ୍ଦୁଛି ଭାରତ ମାଆ
ଆଖିରୁ ତାହାର ବହେ ଅଶ୍ରୁ ଧାର
ଥମିବାର ନାହିଁ ନାଆଁ
ପଚାରିଲି ଯେବେ ମାଆ କୁ ମୋହର
କାନ୍ଦୁ ଅଛୁ କାଇଁ ପାଇଁ
ଦେଲା ମା ଉତ୍ତର କାନ୍ଦୁ କାନ୍ଦୁ ତାର
କାନ୍ଦୁଛି ମୋ ଝିଅ ପାଇଁ
ସୁରକ୍ଷିତ ନାହିଁ ଆଜି ମୋର ଝିଅ
ଡାକେ ମୋତେ ବାର ବାର
କେମିତି ସହିବି ମାଆ ମୁଁ ହୋଇ କି
ତାର ବ୍ୟାକୁଳ ଚିତ୍କାର
ପଶୁଠାରୁ ହୀନ ହୋଇଛି ଯେ ଜନ
ମାନୁ ନାହିଁ ବଡ଼ ସାନ
ଶାଗୁଣା ବିଲୁଆ ପରି ଝୁଣୀ ଝୁଣୀ
ଖାଆନ୍ତି ଝିଅ ଜୀବନ
କନ୍ୟା କୁ ଯେଉଁଠି ଦେବୀ ଯେ ମଣନ୍ତି
କରୁଛନ୍ତି ଭୃଣ ହତ୍ୟା
ଏସିଡିରେ ପୋଡ଼ି କେତେ ଝିଅ ନାରୀ
ହେଉଛନ୍ତି ନିତି ହତ୍ୟା
କା ବେକରେ ଛୁରୀ କା ବେକେ ଦଉଡ଼ି
କାହାକୁ ଦେଲେଣି ପୋଡ଼ି
କେମିତି ସହିବି କହ ରେ ପୁଅ ତୁ
ଧର୍ଷିତା ଝିଅ ର ରଡ଼ି
ରାଜା ପଥେ ଏଠି ଧର୍ଷଣ ହେଉଛି
ବାଡ଼ ଖାଉଛି ଫସଲ
ପ୍ରଶାସନ ଏଠି ନୀରବ ରହୁଛି
ସତେ ଅବା ସେ ଅଚଳ
ଶୁଣ ପ୍ରଶାସନ ଶୁଣ ମୋ ସନ୍ତାନ
ଏତିକି ଗୁହାରି ମୋର
ମୋ ଝିଅ କାନ୍ଦୁଛି ନିତି ମରୁ ଅଛି
ଦୁଃଖ ମୋର ଦୂର କର
