STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

କାଳର ବଶେ ଏ ଜଗତ

କାଳର ବଶେ ଏ ଜଗତ

1 min
269


ଜନ୍ମ ମାତ୍ରେ ମୃତ୍ୟୁ ଅଟେ ଅନିବାର୍ଯ୍ୟ

ଜୀବ ଯାଏ କାଳ ବଳେ 

ଛଞ୍ଚାଣ ସଦୃଶ କାଳ ଝାମ୍ପି ଯିବ

କାଳର କଳା କୌଶଳେ 

ଧନୀ ଜ୍ଞାନୀ ଗୁଣୀ ନେତା ରାଜା ପ୍ରଜା

ପ୍ରଭେଦ ବି ନାହିଁ ତିଳେ 

ମୃତ୍ୟୁ ନିକଟରେ ସଭିଏଁ ସମାନ 

ଆବୋରି ନିଏ ସେ କୋଳେ

ମୃତ୍ୟୁ ଚିରନ୍ତନ ସତ୍ୟ ପ୍ରମାଣିତ

କାଳ ଛଞ୍ଚାଣ ରୂପରେ

କେଉଁ ମୁହୂର୍ତ୍ତରେ ଝାମ୍ପି ନେବ ଆସି

ଜୀବନ ତା' କବଳରେ

ଚାହିଁ ଅଛି କାଳ ରୂପକ ଛଞ୍ଚାଣ

ମଣିଷର ହାବ-ଭାବ

ସବୁ ଜାଣି ଶୁଣି ମଣିଷ ହୃଦୟେ

ତଥାପି ନିଷ୍ଠୁର ଭାବ


ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ସମୟ

ମୂଲ୍ୟବାନ ଭାବେ ମାନ୍ୟ

ପ୍ରତ୍ୟେକ ମୁହୂର୍ତ୍ତ ପ୍ରାୟତଃ କାହାଣୀ

କାହାଣୀ ବି ଭିନ୍ନ ଭିନ୍ନ

ଜନ୍ମ ବେଳେ ଯେଉଁ ଉତ୍ସବ ପାଳନ

କ୍ରମେ ପର୍ଯ୍ୟାୟ ରୂପରେ

ଜୀବନ ସହିତ ସଂଘର୍ଷ ପ୍ରାୟତଃ

ପ୍ରତ୍ୟେକ ପଦକ୍ଷେପରେ

ତିଳେ ମାତ୍ର ଡର ନାହିଁ ମୃତ୍ୟୁ ପ୍ରତି 

ମୋହ ଭିତରେ ଜୀବନ

ଦୁର୍ଲ୍ଲଭ ଜୀବନ ପ୍ରାପ୍ତ ହୋଇ ନର

ପ୍ରାଚୁର୍ଯ୍ୟେ ବିତାଏ ଦିନ

ଧନ ଓ ପଦବୀ ଅର୍ଜନ ଉଦ୍ଦେଶ୍ୟେ 

ଅଧର୍ମ କୁକର୍ମ ପଥେ

ଅମୁଲ୍ୟ ଜୀବନ ହୁଏ ନିୟୋଜିତ

ପାପ ଓ ପଙ୍କିଳ ଚିତ୍ତେ

ମୃତ୍ୟୁ ଉପରାନ୍ତେ ଯଶ କୀର୍ତ୍ତି ମାତ୍ର

ରହିବ ସଦା ଅକ୍ଷୁଣ୍ଣ 

ଦାନ ସେବା ଓ ପରୋପକାର କର୍ମ

ଧରାରେ ହେବ ସ୍ମରଣ

ଆସିବା ଓ ଯିବା ବେଳରେ ଉଲଗ୍ନ

ସ୍ଥିତି ଜାଣିଛି ମଣିଷ

ତଥାପି ମନରେ ହିଂସା ଈର୍ଷା ଦ୍ୱେଷ

ହେଉଅଛି ଅମଣିଷ


ହୃଦୟ ରେ ଦୟା ଧର୍ମ ଦାନ ପୁଣ୍ୟ

ଭାବନା ସର୍ବଦା ରହୁ

ଝାମ୍ପି ନେଇ ଯିବା ଆଗରୁ ଛଞ୍ଚାଣ 

ସତ୍ୟ ପଥେ ମନ ଥାଉ

ମୃତ୍ୟୁ କୋଳେ ଚିରନିଦ୍ରା ର ଆଗରୁ

ଦାନ ପୁଣ୍ୟ ହେଉ ବ୍ରତ 

ହୃଦୟରେ କାଳ ଛଞ୍ଚାଣ ର ଭୟ 

ରହି ଥାଉ ଉଜ୍ଜୀବିତ

ସେ କାଳ ଛଞ୍ଚାଣ ସର୍ବଦା ଦାରୁଣ

ଝାମ୍ପି ନେବା ତା'ର କାମ

ଝାମ୍ପି ନେଲା ବେଳେ ଉଚ୍ଚାରଣ ହେଉ

ପରଂବ୍ରହ୍ମଙ୍କର ନାମ

ମୃତ୍ୟୁ ହିଁ ଅପରିହାର୍ଯ୍ୟ ଜୀବନରେ

ମୃତ୍ୟୁ ସତ୍ୟ ଚିରନ୍ତନ

ମୃତ୍ୟୁ ପାଇଁ କିମ୍ପା ଅଯଥା ବିଭ୍ରାନ୍ତ 

ହୃଦୟେ ହେଉ ଗ୍ରହଣ 

ଆକାଶରେ ମେଘ ଯେତେ ଭୟଙ୍କର

ଅବା ହୋଇଥାଉ ଘନ 

କାଳ ରୂପୀ ଝଡ ପବନ ପ୍ରବାହେ

ମେଘ ବି ଶୁନ୍ୟରେ ଲୀନ 

ଆକାଶର କଳା ମେଘ ସମ ଜୀବ

ଭ୍ରମୁଛି ମର୍ତ୍ତ୍ୟ ମଣ୍ଡଳେ

ଅତି ସହଜରେ ହେବ ବଶୀଭୂତ

କାଳର କରାଳ କୋଳେ

କାଳର ବଶେ ଏ ଜୀବ ଓ ଜଗତ

ସର୍ବେ କାଳର ଅଧୀନ

କଳା କାରନାମା ଧାରେ ଧନ ଧାନ୍ୟ 

ନ ହେଉ ଆଦୌ ଅର୍ଜନ !!


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract