କାଳିଜାଈ ହେଲା କଳାଛାଇ
କାଳିଜାଈ ହେଲା କଳାଛାଇ
କିଏ ବୁଝିବ ଆଗୁଆ ସମୟର ଖେଳ,
କେବେ ସୁଖ ମଧ୍ୟେ ଦୁଃଖ ଭରିଦିଏ କାଳ |
ସହିସଙ୍ଗାତରେ ଆଜି ଖୁସିର ପସରା,
ଗେଲୀ କାଳିଜାଇର ବାହାଘର ପରା |
ଏକା କାଳିଜାଈ ମନ ଦୁଃଖ ଟିକେ ଥିଲା,
ଦରିଆ ମଝିରେ ଯିବ ଶାଶୂଘର ଭଲା |
ଝିଅର ସାଜ ସଜଣ କରିଣ ଯୋଗାଡ଼,
ଶାଶୂଘର ଯିବ ବୋଲି ହୋଇଥିଲା ଭିଡ଼ |
କାନ୍ଦି କାନ୍ଦି କାଳି ମାଆ ପଣତ ଛାଡିଲା,
ବାପା ସାଥେ ନାଉରୀ ଯେ ନାଆ ବୁଲାଇଲା |
ଗାଁ ସାଙ୍ଗ ସାଥୀ ଖେଳ ଭାବି ଝୁରୁଥାଏ,
ତା ସାଥିରେ ନାଵ ନୀଳ ନୀରେ ବହିଯାଏ |
ତହୁଁ କୁଆଡୁ ଆସିଲା କାଳିଆ ବଉଦ,
ଚିଲିକା ଢେଉ ବଢିଣ କଲା ଘୋର ନାଦ |
ଏହା ଦେଖି କାଳିଜାଈ ଭୟ ପାଇଗଲା,
ବାପା ଧରି ନାଉରୀକୁ ପଟେ ତିଆରିଲା |
ଝିଅ ମୋ ଡରୁଚି ଟିକେ ଧୀରେ ନାଆ ବୁହା,
ସଙ୍କଟ ଭଳି ଲାଗୁଛି ହେ ନାଉରୀ ଭାୟା |
ନାଉରୀ କହିଲା ଜମା ଭୟ କର ନାହିଁ,
ମଙ୍ଗ ଭିଡି ଧର ନାଵ ନେବି କୂଳେ ବାହି |
ଯୁଗଟେ ବହିଛି ନାଆ ଦେଖିନି ଏ ଝଡ଼,
ଆଜି କାହିଁକି ଲାଗେ ହେବ ଗଡବଡ |
ଏତିକି ବେଳକୁ ଏକ ଲହରୀ ଆସିଲା,
ଡ଼ଙ୍ଗା ଉପର ଦେଇଣ କାହୁଁ ଚାଲିଗଲା |
ଆକାଶ ହେଲା ନିର୍ମଳ ସୂରୁଜ ଦିଶିଲା,
ନାଆରେ ସବୁତ ଅଛି ଜାଈ କାହିଁଗଲା |
ବାପ ତାର କାନ୍ଦି କାନ୍ଦି ଖୋଜାଖୋଜି କଲା,
କଳା ବଉଦ ଘଡିକେ ତାକୁ ଘେନିଗଲା |
ସେଦିନଠୁ ପାହାଡ ଉପରେ କଳା ଛାଇ,
କାନ୍ଦି ବୁଲୁଥାଏ ସତେ ଝିଅ କାଳିଜାଈ |
ସେହିସ୍ଥାନେ ମାଆ କାଳିଜାଈର ମନ୍ଦିର,
ସାହାହୁଏ ମାଆ ନାଆ କରିଦିଏ ପାର |
ସେହି କଳାଛାଇ ହେଲା ମାଆ କାଳିଜାଈ,
ତୋର ଶ୍ରୀ ଚରଣେ କୋଟି ପ୍ରଣାମ କରଇ |
