STORYMIRROR

Sarojini Mishra

Classics

4  

Sarojini Mishra

Classics

କାଳିଆ ରାଜା

କାଳିଆ ରାଜା

2 mins
17


କାଳିଆ ରାଜା ମୋ କାଳିଆ ରାଜା

ଏ ଜଗତ ସାରା ତୋର ପରଜା

ରତ୍ନ ସିଂହାସନେ ବସି ରେ କାଳିଆ

ଦେଖୁଛୁ ଜଗତ ସାରା ।


ସକାଳରୁ ସଂଜ ରାତି ହେବାଯାଏ

ତୋ ପାଇଁ ସେବକ ଖଞ୍ଜା

ଦୀନ ଦୁଃଖି ଙ୍କର ଦୁଃଖ ବୁଝୁଥାଉ

କେତେ ତୋର ସାଜ ସଜ୍ଜା |


କାଳିଆ ରାଜାର ମନ୍ଦିର ତ ବଡ

ଦୁଆର ସିଂହ ଦୁଆର

ସମୁଦ୍ର ଶବ୍ଦକୁ ଏଡାଇବା ପାଇଁ

ମେଘନାଦ କାନ୍ଥ ଘେର |


ଚାରି ପଟେ ଚାରି ଦୁଆର ରାଜାର

ବେଢ଼ାରେ ସବୁ ଠାକୁର

ରତ୍ନ ସିଂହାସନେ ରାଜା ବସି କରେ

କିଣା ବିକା ଯେ ଭାବର ।


ସକାଳ ରୁ ସଂଜ ମାନବୀୟ ଲୀଳା

ରାଜାଧିରାଜ ଙ୍କ ଭଳି

ଛତିଶି ପାଟକ ସେବକ ଖଟନ୍ତି

ଭକ୍ତେ ସଦା ହୋନ୍ତି ମେଳି ।


ପାଟ ପିତାମ୍ବରୀ ଗହଣା ଗାଣ୍ଠିରେ

ଶରୀର ତାର ମଣ୍ଡନ

ବେଶରେ ବେଶରେ ସନ୍ଦେଶ ଦିଅଇ

କାଳିଆ ରାଜା ମହାନ ।


କାଳିଆ ରାଜାର ରଥଯାତରା ରେ

ରାଜା ଚ଼ାଲେ ରଥ ଚ଼ଢି

ତା ଇଚ୍ଛାରେ ପରା ଦୁନିଆ ଚ଼ାଲଇ

ଶରଧା ବାଲିରେ ଧାଡ଼ି ।


କାଳିଆ ରାଜାର ଭୋଜନ ନିଆରା

ପହରେ ପହରେ ଖଞ୍ଜା

ଷାଠିଏ ପଉଟି ଅନ୍ନ ବ୍ୟଞ୍ଜନ ଯେ

ରାଜା ପାଇଁ ପରା ଖଞ୍ଜା |


କାଳିଆ ରାଜାର ଆନନ୍ଦ ବଜାର

ଭାବର ଜୁଆର ଛୁଟେ

କାଳିଆ ରାଜାର ପ୍ରସାଦ ବାସ୍ନାରେ

ସବୁ ମୋହ ମାୟା ତୁଟେ |


କାଳିଆ ରାଜାର କି ବର୍ଣ୍ଣନା ଦେବି

ବିଶ୍ଵରେ ମାନ୍ୟତା ତାର

ଅରୁଣ ସ୍ତମ୍ଭ ରୁ ରତ୍ନ ସିଂହାସନ

ତତ୍ତ୍ଵମୟ ପଥ ତାର ।


କାଳିଆ ରାଜା ରାଜକୀୟ ଠାଣି

ନେଇଥାଏ ମନ କିଣି

ଝୁଲି ଝୁଲି ଯେବେ ପହଣ୍ଡି ହୁଅଇ

ଭକ୍ତ ମନ ଯାଏ ଜିଣି ।


କାଳିଆ ରାଜାର ସବୁ ବଡ଼ ପରା

ଦେଉଳ ବଡ଼ ଦେଉଳ

ଦାଣ୍ଡ ବଡ଼ ଦାଣ୍ଡ ପତିତପାବନ

ବାନା ରେ ଲେଖା ମହତ୍ତ୍ୱ ।


କାଳିଆ ରାଜାର ଆମେ ତ ପରଜା

ଦୁଃଖ ସୁଖ ସବୁ ବୁଝେ

ଜୀବନ ଜାତକୁ ମଶାଣି ପର୍ଯ୍ୟନ୍ତ

ଆମ ସାଥେ ସିଏ ଥାଏ | 


କାଳିଆ ରାଜାକୁ ଆଗେ ନିମନ୍ତ୍ରଣ

ଓଡ଼ିଆର ଶୁଭ କାମେ

ତା ବିନା ଆମେ ତ ନିଃସହାୟ ପ୍ରଜା

ସବୁ ପୁଣ୍ୟ ତାର ଧାମେ ।


କଳିଆ ରାଜାର ରାଜା ପଣିଆରେ

ସାରା ବିଶ୍ଵକୁ ସେ ଟାଣେ

ତା ଯାତରା ପରା ପୃଥିବୀ ପ୍ରସିଦ୍ଧ

ସଭିଙ୍କୁ ଯେ ଟାଣି ଆଣେ ।


କାଳିଆ ରାଜାର ଗଠନ ସୁନ୍ଦର

ସୁନ୍ଦର ତା ରୀତି ନୀତି

ସୁନ୍ଦର ତା ବେଶ ସୁନ୍ଦର ଉଆସେ

ସ୍ୱତନ୍ତ୍ର ତାର ରାଜୁତି ।


କାଳିଆ ରାଜା ମୋ ଶୂନ୍ୟ ବ୍ରହ୍ମ ପୁଣି

ସିଏ ପୁଣି ପୂର୍ଣ୍ଣବ୍ରହ୍ମ

ସିଏ ଅଟେ ପୁଣି ଅଗମ ନିଗମ

ସିଏ ପରା ଦାରୁ ବ୍ରହ୍ମ ।


ମନ ବେଳା ଭୂମି ଦ୍ଭାରାକ୍ରାନ୍ତ ହେଲେ

ସିଏ ଶାନ୍ତ ବେଳା ଭୂମି

ତା ପାଦେ କରଇ ଶତ ପ୍ରତିପାତ

ସିଏ ଜୀବନ ସାରଣୀ ।


Rate this content
Log in

Similar oriya poem from Classics