କାହାର ଅଛି ତିନୋଟି ଡେଣା
କାହାର ଅଛି ତିନୋଟି ଡେଣା
କାହାର ଅଛି ତିନୋଟି ଡେଣା
ଭାବିଲେ ଲାଗେ ବିସ୍ମୟ,
ନରର ଅଛି ଦୁଇଟି ଡେଣା
କିଏ ତାକୁ କଲା ଜୟ l (1)
ଦୁଇ ଡେଣା ଦ୍ୱାରା କାର୍ଯ୍ୟ କରେ
ପେଟକୁ ପୋଷିବା ପାଇଁ,
ଅନ୍ୟଜଣେ କରେ ତିନି ଡେଣାରେ
ନିଜର ପେଟକୁ ନାହିଁ l(2)
ହାତ ଥିଲେ ପରା ଭାତ ମିଳେ
ଏକଥା ଅଟଇ ସତ,
ପରିଶ୍ରମ ପାଇଁ ଜୀବନକୁ
ଗ୍ରହଣ କରିଛି ବ୍ରତ l (3)
ନର କାମ କରି ଦୁଇ ହସ୍ତେ
ଉପାର୍ଜନ କରେ ଧନ,
'ସେ' କାମ କରି ତିନି ଡେଣାରେ
ନରକୁ ଦିଏ ପବନ l (4)
ମନୁଷ୍ୟ ଯାହା ଆଦାୟ କରେ
ଧୀରେ ଧୀରେ ଯାଏ ସରି,
ଇଏ ଯେଉଁ ଧନ କରେ ଆଦାୟ
ପୃଥିବୀ ହୁଅଇ ଭାରି l (5)
ତିନୋଟି ଡେଣା ଥାଇ ତାହାର
ଅଟେ କୃତ୍ରିମ ପଦାର୍ଥ,
ମନୁଷ୍ୟ ଦ୍ୱାରା ନିର୍ମିତ ହୋଇ
'ସେ' କିଣଇ ଦେଇ ଅର୍ଥ l (6)
ଦୁଇ ଡେଣାକୁ ସକ୍ରିୟ କରେ
ତା 'ର ମୁଣ୍ଡର ବ୍ରେଇନ,
ତାର ତିନି ଡେଣା ଘୁରିଥାଏ
କରିଲେ ସୁଇଚ ଅନ l (7)
ତିନି ଡେଣାକୁ ଘୁର୍ଣ୍ଣନ କରି
ଆଦାୟ କରେ ସମୀର,
ତାହାକୁ ପାଇ ମାନବ ଜାତି
ଗ୍ରୀଷ୍ମକୁ କରନ୍ତି ଦୂର l (8)
ଖରାଦିନେ ବେଶୀ ଶ୍ରମ କରି
ଆଦାୟ କରେ ପବନ,
'ଏ' ଦିନେ ଚାହିଦା ବେଶୀ ତାର
ଦାମ ଅତି ମୂଲ୍ୟବାନ l (9)
ମୋ ଜନ୍ମ ଦାତା, ମୋ ସୃଷ୍ଟି କର୍ତା
ପ୍ରଭୁ ମୋର ବୈଜ୍ଞାନିକ,
କେତେ କଷ୍ଟରେ କରିଛ ନିର୍ମାଣ
ରଖିବି ତୁମର ଟେକ l (10)
ସଭିଏ ଜାଣିଛ ମୋର ନାମ
ସଭିଙ୍କ ଘରେ ମୁଁ ଥାଏ,
ବିଦ୍ୟୁତ ଦ୍ୱାରା ପରିଚାଳିତ
କହିବ ମୋ ନାମ କିଏ ? (11)
