କାହାକୁ ଅଡିବା
କାହାକୁ ଅଡିବା
(2)
କାହାକୁ ଅଡିବା
କବି ସୂର୍ଯ୍ୟ ବଳଦେବ ରଥ
ରାଗ - ଆଷାଢ ଶୁକ୍ଳ
କାହାକୁ ଅଡିବା, କପାଳରେ ସିନା କର ତାଡିବା (ଘୋଷା)
ଭଜିଥିବ ଭାବି କଳପଲତା, କାଳ ସେ ହୋଇଲେ ଅପରାଜିତା,
କରି ଗୋଦାବରୀ ନିକଟେ ବସା, କାଳଦେବତା ଯେବେ ହେବ ତୃଷା (1)
ନଥର ପରୀକ୍ଷିତ ହୀରାମଣି, ପଥରୁ ଯେବେ ହେବ ଉଣା ପୁଣି,
କର ହାଜର ଥିବ ପଦ୍ମନିଧି, ଜନମିବ ଯେବେ ଜାଚକ ବୁଦ୍ଧି (2)
ପିନ୍ଧିଥିବ ଜାମାନିମା ଗୁଡିକି, ଗୁପତ ଆଙ୍ଗ ଦିଶିତେ ଝଲକି,
ହରି ଭଜନମାଳା ଥିବ କରେ, ଧରିନେବେ ଯେବେ ଜମ କିଙ୍କରେ (3)
ଶୟନକୁ ଥିବ ହଂସୁଲିତୂଳି, ନିଜ ଅଙ୍ଗରୁ ଜନମିଲେ ଧୂଳି,
ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା, କଣ୍ଠ ଉପକଣ୍ଠ ଲାଗିଲେ ପିତା (4)
ଜୀଇଁବା ପାଇଁ ପିଇବା ପୀୟୁଷ, ପରିପାକେ ଯେବେ ହେବ ସେ ବିଷ,
କୁନ୍ଦନ ଯେବେ ପାଲଟିବ ରଙ୍ଗ, କଟିସୂତ୍ର ଯେବେ ହେବ ଭୁଜଙ୍ଗ (5)
କେତକୀରୁ ସମ୍ଭବିଲେ ଦୁର୍ବାସ, ଶିରଗଭାରୁ ଜନ୍ମିଲେ କୁଳିଶ,
ନିଜ ନିଃଶ୍ୱାସରେ ପଡିଲେ ଢଳି, ଜଠରାନଳେ ଦେହ ଗଲେ ଜଳି (6)
ସକଳ ସଉଭାଗ୍ୟ ଅଭିଳାଷେ, ଅନୁସରି ସୁରସୁରଭି ପାଶ,
ଦୋହନକାଳେ ଦୁଧରୁ ତାହାର, ଧରା ପରାଗେ ହୋଇଲେ ବାହାର (7)
ପିଞ୍ଜରମଣ୍ଡନ ପଢା ଶରିକା, ପଢାଛାଡି କଲେ ମଣ୍ଡୁକଡକା,
କପିତ୍ଥ ଫଳିଲେ ରସାଳଲତା, ଅଶୁଭ ପାଞ୍ଚିଲେ ଇଷ୍ଟ ଦେବତା (8)
ଜ୍ୟୋତିଷନ୍ତ ତାର ନୟନେ ଥିବ, ସମୀପ ଦୀପ ଯେବେ ନ ଦିଶିବ,
ଘନସାର ସାର ସଙ୍ଗମ କ୍ଷଣେ, ଆନ୍ଧ୍ୟ ଯେବେ ଜନମିବ ଇକ୍ଷଣେ (9)
ଦୂର ହୋଇବାକୁ ଦୁରିତ ବ୍ୟୁରିତ ବ୍ୟୂହ, ଗଙ୍ଗା ପ୍ରବାହେ କରି ଅବଗାହ,
ନିତ୍ୟ ନିବାସ କରିଥିବ କାଶୀ, ଆସି ଗ୍ରାସିଦେଲେ ପାତକରାଶି (10)
ହାତୀ ବିତରଣ କରି ଯାଚକେ, ଜାତି କୃପଣ ବୋଲାଇଲେ ଲୋକେ,
ପାତିତ୍ୟଧ୍ୱଂସୀ ଶ୍ରୀମହାପ୍ରସାଦେ, ଜାତିବିଧ୍ୱଂସ ହେଲେ ପରମାଦେ (11)
ଅବଲମ୍ବ କରି ଗରୁଡ ନିଡ, ଡୁଣ୍ଡୁଭରୁ ହେଲେ ଭୟ ନିବାଡ,
ହରିଦରୀ ମଧ୍ୟ କରି ଶରଣ , ଶଶ ସକାଶୁଁ ଲଭିଲେ ମରଣ (12)
ସିନ୍ଧୁରେ ପଶି ନ ତିନ୍ତିଲେ ପାଦ, ସାଯୁଜ୍ୟ ମୋକ୍ଷରେ ଥିଲେ ବିପଦ,
ମାଜି ନିର୍ମଳ ମୁକୁରକୁ ଚାହିଁ, ପ୍ରତିବିମ୍ବ ଯେବେ ଦିଶିବ ନାହିଁ (13)
ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଛେଦ, କାମ କାଣ୍ଡରେ ହେଲେ ଶିରଚ୍ଛେଦ,
ସେବିକା ସଂଜୀବନୀ ମହୌଷଧ, ନୋହିବ ଯେବେ ଆମୟ - ନିଷେଧ (14)
ହିମଗିରିଦରୀ କରି ଆଶ୍ରୟ, ହେଲେ ନିଦାଘ ଭୟ ଅତିଶୟ,
ପଣ୍ଡିତ ମଣ୍ଡଳୀରେ କରି ସ୍ଥିତି, ଜଣା ନୋହିଲେ ବଚନ ସଙ୍ଗତି (15)
ଜାଣି ବେଦ ବିଦ୍ୟା ତତ୍ତ୍ୱସାରକୁ, ମୂରୁଖ ବୋଲାଇଲେ ଆଖରକୁ,
ପରଶୁରାମଙ୍କୁ କରିବା ଗୁରୁ, ପଳାଇବା ଯେବେ ଅରି ଆଗରୁ (16)
ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ, ଅତାଳରଜ୍ଞାନୀ ବୋଲାଇଲେ ଶେଷେ,
ଧରଣୀଦେବଙ୍କ ଚରଣରଜ, ଶିରେ ଘେନିବା ଯେବେ ହେବ ଲାଜ (17)
ଶରୀର ଖେଦ ହୋଇବାକୁ ଶାନ୍ତ, ଢାଳିବା ମନ୍ଦ ମନ୍ଦ ତାଳବୃନ୍ତ,
ତହୁଁ ନ ଜନମି ମୃଦୁ ଅନିଳ, ସମ୍ଭବିବ ଯେବେ ପ୍ରଳୟାନଳ (18)
କହଇ ଜଳନ୍ତର ପୁରନ୍ଦର, ଶୋଭା ନିମନ୍ତେ ବହି ଅଳଙ୍କାର,
ତହୁଁ ସୁନ୍ଦରଭାବ ନ ଦିଶିବ, ପିଶାଚପରି ଯେବେ ଆଭାସିବl
କାହାକୁ ଅଡିବା କପାଳରେ ସିନା କର ତାଡିବା (19)
