କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
ପହିଲି ଆଷାଢ଼ ଆଦ୍ୟ ବାରି ଧାରା
ଉଷ୍ମତାରୁ ଶୀତଳତା
ଧରଣୀ ବୁକୁରେ ନୂଆ ଉନ୍ମାଦନା
ଭରିଦିଏ ଚଞ୍ଚଳତା l
ଟିପି ଟିପି ବର୍ଷା ଫେନିଳ ସ୍ରୋତରେ
କାଗଜ ଡ଼ଙ୍ଗାର ଶୋଭା
ଥିରି ଥିରି ବାଆ ଢଳ ଢଳ କରେ
ସତେ ଡୁବି ଯିବ ଅବା l
ସାଜି ଆସିଥାଏ ଧର୍ମର ସାରଥୀ
ଭାସେ ରଙ୍ଗ ବେରଙ୍ଗରେ
ଟୋପା ଟୋପା ପାଣି ଚହଲେଇ ଦିଏ
ଅପାର ଆନନ୍ଦ ଭରେ l
ଭାସି ଭାସି କହେ କାଗଜ ଡ଼ଙ୍ଗାଟି
ସମୟ ସ୍ରୋତରେ ତୁହି
କିଛି କ୍ଷଣ ପରେ ସତ୍ତା ହଜିଯିବ
ଜଳର ସ୍ରୋତରେ ମୁହିଁ l
କ୍ଷଣେ ଭିଜିଯାଏ କ୍ଷଣେ ହଜିଯାଏ
ପାଣି ଫୋଟକା ସହିତେ
କ୍ଷଣକ ମଧ୍ୟରେ ଅପାର ଆନନ୍ଦ
ଭରି ଦିଏ ପ୍ରତି ଚିତ୍ତେ l
ଅଳିକ ଜୀବନ କ୍ଷଣ ଭଙ୍ଗୁର ତ
ଶିକ୍ଷାର ପ୍ରଦୀପ ଜାଳେ
ଜୀବନ ନାଆଟି ତାର ସମ ସିନା
ସମୟ ଆସିଲେ ସରେ l
ସମୟ ସ୍ରୋତରେ ଜୀବନ ନଉକା
କାଗଜର ଡ଼ଙ୍ଗା ପରି
ତାହା ଅକ୍ତିଆରେ ବହିଥାଏ ସଦା
ନିଜତ୍ୱ ମନୁ ପାଶୋରି l
ବଳ, ଦର୍ପ, ଗର୍ବ, ଅଭିମାନ ଦିନେ
ମିଳେଇ ଯିବ ସ୍ରୋତରେ
କାଗଜ ଡଙ୍ଗାର ଏ ମହତ୍ୱ ଶିକ୍ଷା
ଆପଣାଇ ଜୀବନରେ l
ଜୀବନ ଜଞ୍ଜାଳେ ଯେତେ ଦିନ ଥିବ
ଦେଉଥିବା ସୁଖ ବାଣ୍ଟି
କିଏ ସେ ଜାଣିଛି ଭାସୁଥିବା ଡ଼ଙ୍ଗା
ଡୁବି ଯିବ ବା କେଉଁଠି l
କୁନି ପିଲା ମନେ କାଗଜ ଡ଼ଙ୍ଗାଟି
ଭରିଦିଏ ନୂଆ ଶିକ୍ଷା
ମୁହିଁ ଭାସୁଅଛି ତୁମେ ଭାସୁଅଛ
ସମୟକୁ ତ ଅପେକ୍ଷା l
