ଜ୍ୟୋତ୍ସ୍ନାବିହାର
ଜ୍ୟୋତ୍ସ୍ନାବିହାର
ସକାଳୁ ବେଡ଼ ଟି ଧରୁ ଧରୁ
ବାମ୍ପ ମିଶା ଉଷୁମ ଢୋକ ମାରୁ ମାରୁ
ଜ୍ୟୋସ୍ନାବିହାର ପାଇଁ
ଆଖିରେ ଇଶାରା ଇଙ୍ଗିତ ପାଇଲି ମୁହିଁ
ମୁଁହକୁ ଅନେଇଲି
ନିମ୍ଳିତ ନୟନରେ ନିରେଖିଲି
ସତେ ତ , ପ୍ରାତଃ କାଳରେ ବି
ଆକାଶରେ ଉଇଁପାରେ ଇନ୍ଦୁ
ମନ ମୁକୁରେ ବିନ୍ଦୁ ବିନ୍ଦୁ ସ୍ଵେଦବିନ୍ଦୁ
ଜଳଖିଆ ପର୍ବ ପରେ ପରେ
ଅଫିସ୍ ଯିବା ପୂର୍ବରୁ ମୁଣ୍ଡ କୁଣ୍ଡେଇବା ସମୟରେ
ଆଇନାରେ ଦିଶିଗଲା ଅଳସୀ ନୟନା
ଜ୍ୟୋସ୍ନାବିହାର ପାଇଁ
ତର୍ଜନୀରେ ଅସଂଖ୍ଯ ଆହ୍ଵାନ ଆମନ୍ତ୍ରଣ ନେଇ
ଆଇନାକୁ ଚାହିଁଲି ମୁରୁକି
ପାନିଆ ହାତରେ ରହିଗଲା ଅଟକି
ସତେ ତ ! ଅଫିସ୍ ଯିବା ବେଳରେ ବି
ଆକାଶରେ ଉଇଁପାରେ ଇନ୍ଦୁ
ମନ ମୁକୁରେ ବିନ୍ଦୁ ବିନ୍ଦୁ ପ୍ରେମସିନ୍ଧୁ
ମଧ୍ୟାହ୍ନ ଭୋଜନ ପର୍ବ ପାଇଁ
ଦ୍ଵିପ୍ରହର ତତଲା ସହର ଡେଉଁ
ସୁଆଦିଆ ହାତ ପରଷା ଖାଇବା ପାଇଁ
ଧାଇଁ ଆସିବାକୁ ମୁଁ ହୁଏ ଧଇଁ ସଇଁ
କାରଣ
କ'ଣ ବା କହିବି ବଖାଣିବି
ଭାତଖିଆ ସରିଗଲା ପରେ
ହାତ ମୁଁହ ଧୋଇ ପାଣି ପିଇ ସାରିଲା ପରେ
ଭଜା ଧଣିଆ -ପାନ ମହୁରି ମିଶାମିଶି ମୁଖଶୁଦ୍ଧି ପାଟିରେ ଚୋବେଇଲା ପରେ
ଜ୍ୟୋସ୍ନାବିହାର ପାଇଁ
ନିରୋଳା ଆମନ୍ତ୍ରଣ ନିଶ୍ଚୟ ଦେବ ନୀଳକଇଁ
ମୁଁ ମନେ ମନେ ଖୋଜୁଥିଲି ମୁହୁର୍ତ୍ତ ବିରଳ
ସମୟ କାଟୁଥିଲି ଜାଣିଶୁଣି
ଫାଇଲ୍ ଖୋଜିବାର ବାହାନା ନେଇ କେବଳ
କରୁଥିଲି ବିଳମ୍ବ ଟାଣିଟୁଣି
ଶେଷରେ ଶୁଭିଲା ଦାରୁଣ ହେଣ୍ଟାଳ
ତୁମେ ଗଲ
କବାଟ ବନ୍ଦ କରିବି
କେଇ ଘଣ୍ଟା ଶୋଇବି
ସକାଳ ପହରୁ କାମ ଯେ ସରୁନି
ଦେହ ହାତ ଅଣ୍ଟା କମର ଭୀଷଣ ବିନ୍ଧିଲାଣି
ପ୍ରେମ ଜୁଆରରେ ପଡ଼ିଗଲା ଭଟ୍ଟା
ଜ୍ୟୋସ୍ନାବିହାର କି ହେବ
ଛେନା ଗୁଡ଼ ଓଉ ରାଇତା ଫାଇତା ଖଟ୍ଟା
ସ୍ନେହ ବୋଇତରେ ବାଜିଗଲା ବାକ୍ୟଇଟା
ସତେ ତ , ବେଳ ଗଡିଗଲା ପରେ
ଆକାଶରେ ଘୋଟିପାରେ କଳାବାଦଲ
ଅଣଚାଷ ବହିପାରେ ଅଦିନିଆ ବତାସ ବେହାଲ I

