ଜତୁଗୃହ
ଜତୁଗୃହ
ଏଠି ଖାଲି ବନ୍ଦୀ ନୁହେଁ ଧର୍ମରାଜ ଯୁଧିଷ୍ଠିର
ବୀର ଅର୍ଜ୍ଜୁନ ଅବା ପବନ ନନ୍ଦନ
ଅବା ପଣ୍ଡୁ ସୂତମାନେ ।
ଏଠି ବନ୍ଦୀ ଗଛ, ଲତା, ଫୁଲ, ଫଳ
ପର୍ବତ ଓ ପଶୁ-ପକ୍ଷୀବୃନ୍ଦ
ନା ଅଛି ଗଛରେ ସବୁଜତା
ନା ଅଛି ଲତାର ନମନୀୟତା
ନା ଅଛି ଫୁଲର ସୌନ୍ଦର୍ଯ୍ୟ
ଅବା ଫଳର ମଧୁରତା ।
ଗଛକୁ ଚାହିଁଲେ ଏଠି
ପତ୍ରଝଡ଼ା ଉଦାସ ମୁହଁଟି ଦିଶେ
ଲତାକୁ ଛୁଇଁଲେ ସେ କହେ -
" ମୋତେ ଛୁଆଁ ନାହିଁ ପଥିକ
ମୋର ସବୁ କୋମଳତା
ବନ୍ଦୀ ଘରେ ମିଶିଯାଇଅଛି ।"
ଫୁଲକୁ ଛୁଇଁଲେ ଫୁଲ କହେ_
"ମୋତେ ତୁମେ ଛୁଅନା ପଥିକ
ମୋ ଦେହର ସମସ୍ତ ସୌନ୍ଦର୍ଯ୍ୟ
ଜତୁଗୃହେ ହଜି ଯାଇଅଛି
ପରମେଶ୍ଵର ପାଦେ ସମର୍ପିତ ହେବାର
ପବିତ୍ରତା ଏଠି ଚୋରୀ ହୋଇଅଛି ।"
ଫଳକୁ ଦେଖି ହାତ ବଢାଇଲେ
ଫଳ କହେ _" ମୋତେ କାହିଁ ଚାହୁଁରେ ପଥିକ
କ୍ଷୁଧା ମେଣ୍ଟାଇବାର ଉପାଦାନ ମାନେ
ଜତୁଗୃହେ ସତ୍ତା ହରାଇଛି ।
ନା ଅଛି ମଧୁରତା, ନା ଅଛି କ୍ଷୁଧା ମେଣ୍ଟାଇ ବାର ଶକ୍ତି,
ଆଉ, ଯାହା ଅଛି ସିଏ ମୋ ନିଜର ନୁହେଁ
ତାକୁ ଆଣି ମୋ ଭିତରେ ଢାଳି ଦିଆଯାଇଛି
ଯାହାକୁ ଖାଇଲେ -
ତୋ ପରମାୟୁ ର ସରଳ ରେଖା ଟି
ଅଙ୍କାବଙ୍କା ହୋଇ ଉଦ୍ଭାସିତ ହେବ ।
ଏଠି ବନ୍ଦୀ ପୃଥିବୀର ସମସ୍ତ ସଜୀବ ଗୋଷ୍ଠୀ
ଅପ୍ରକାଶ୍ଯ ଯନ୍ତ୍ରଣାକୁ ନେଇ .
ନା ଅଛି ମୁକୁଳିବା ପାଇଁ ଛୋଟ ସୁଡଙ୍ଗଟିଏ
ନା ଅଛନ୍ତି ସଖାକୃଷ୍ଣ
ଉଦ୍ଧାର କରିବାର ଏକ ନିଶ୍ଚିତ ପାଥେୟ ।
ତଥାପି, ଅପେକ୍ଷା ରହିଛି ଏକ
ସୁନ୍ଦର ପୃଥିବୀକୁ
ମନ,ବିବେକ, ଆଉ ଖାଲି ପଣମାନଙ୍କୁ ସାଙ୍ଗରେ ନେଇ
ଅପେକ୍ଷା ରହିଛି-
କେବେ ହେବ
ସତ୍ୟ, ଧର୍ମ,ନ୍ୟାୟର ବିଜୟ ।