ଜରି ଗୋଟାଳି
ଜରି ଗୋଟାଳି
ହୁତୁ ହୁତୁ ଜଳୁଥିବା ପେଟ ତଳରେ ନିଆଁ
ଖିନଭିନ କରେ
ଜୀବନର ପ୍ରତିଟି ଅବୟବ
ଭୋକର ଧୂଆଁ ,
ବେସାହାରା ହତାଶି ବିଚରା
କୋଉ ଫୁଥଫାଥରୁ
କୋଉ ରେଳଷ୍ଟେସନରୁ
କୋଉ ବସ ଆଢ୍ଡାରୁ
ବାହାରି ପଡେ ନିଆଁ ତାପୁ ,
ଖରା ବର୍ଷା ଶୀତ ଏକାକାର କରି
ପଦାକୁ ଅଳିଆଗଦାକୁ ।
ସାଇତି ରହିଛି ସେଠି କେଉଁ ଦିନର
ମୁଠାଏ ଦାନା
ଉପଶମ ।
ତା ପାଇଁ ମାଁ ମହାଲକ୍ଷ୍ମୀ
କହା ପାଇଁ ସେଠୁ ନାକ ହୁଏ ଟେକି ।
ବର୍ଜ୍ୟବସ୍ତୁ ଜରି ଗୋଟାଇ ଗୋଟାଇ
ଅପରିମେୟ
ଲହୁ ଲୁହ ଆଖିଏ ଧୂଆଁ ସହ
ପୁର୍ଣ୍ଣ କରେ ତା
ଆଶା ପୁଞ୍ଜି ବସ୍ତାନି ।
ସବୁଠିଁ ପ୍ରଦୂଷଣ
ଜଳ ଜମି ବାୟୁ
ସ୍ୱଚ୍ଛତାର ପରିଭାଷା କଅଣ
ସେ ଜାଣେନା ?
କିନ୍ତୁ
ତମାମ ଦିନ ହୁଏ ଧା ଧପଡ ।
ପ୍ରଦୂଷଣ
ଦୂର କରି କରି
ଆଣେ ପରିମଳ ।