ଜପେ ତୁମ ନାମ କର ହେ କରୁଣା
ଜପେ ତୁମ ନାମ କର ହେ କରୁଣା
ଜପେ ତୁମ ନାମ କର ହେ କରୁଣା
ଦିବାନିଶି କରେ ତୁମକୁ ଧାରଣା,
ନିଷ୍ପାପ ହୃଦୟେ କରେ ସୁମରଣା
କରିବନି ତୁମେ ମୋ ପ୍ରତି ହେ ଊଣା।୦।
ଏତିକି ଜାଣିଛି ତୁମେ ହିଁ ଠିକଣା
ତୁମ ବିନା ମୁଁ ଯେ ହୁଏ ବାଟବଣା,
ଭଲ ବାଟେ ଯିବି ଦିଅ ହେ ପ୍ରେରଣା
ଜୀବନ ପଥେ ନ ପାଇ ପ୍ରତାରଣା।
ଜପେ ତୁମ ନାମ କର ହେ କରୁଣା .
ତୁମରି କଳ୍ପନା ବ୍ରହ୍ମାଣ୍ଡ ସର୍ଜନା
ବୁଝି ପାରେ ନାହିଁ ମୋ ଚିନ୍ତା ଚେତନା,
ଭୟ ଭ୍ରାନ୍ତି ଆସେ କରେ ଦୁର୍ଭାବନା
ଶଙ୍କା ସନ୍ଦେହରେ ଭୋଗୁଛି ଯନ୍ତ୍ରଣା।
ଜପେ ତୁମ ନାମ କର ହେ କରୁଣା
ମିଛ ଏ ସଂସାର ତୁଛ ମୋ କାମନା
ଲୋଭରେ ମୋହରେ ହୁଏ ଆନମନା,
ଦୟା କରି ଘେନ କରୁଛି ପ୍ରାର୍ଥନା
ମନେ ପ୍ରାଣେ ଦିଅ ପବିତ୍ର ଭାବନା।
ଜପେ ତୁମ ନାମ କର ହେ କରୁଣା
ଆଶିଷ ଦିଅ ଦୋଷ କରି ମାର୍ଜନା
ବୁହାଇ ଦିଅ ହେ ପ୍ରେମର ଝରଣା,
ଭାବେ ଅଭାବ ନହେଉ ବୁଝାମଣା
ହସି ଉଠୁ ସବୁ ଘରର ଅଗଣା ।
ଜପେ ତୁମ ନାମ କର ହେ କରୁଣା ।
