STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଜ‌ଓ୍ଵାଦ୍ ତୁମେ ଜ‌ବାବ ଦିଅ

ଜ‌ଓ୍ଵାଦ୍ ତୁମେ ଜ‌ବାବ ଦିଅ

1 min
412


ଜ‌ବାବ ମାଗୁଛୁ ହେ ବାତ୍ୟା ଜ‌ଓ୍ଵାଦ୍

    ଆମ ଆଗେ ଥରେ କୁହ,

ନାତମାରି ଭାତହାଣ୍ଡି ଭାଙ୍ଗିବାର

    କ'ଣ ଥିଲା ଅଭିପ୍ରାୟ ।


ଅଚାନକ ତୁମ ଅନୁପ୍ରବେଶଟା

    କେତେ ଆବଶ୍ୟକ ଥିଲା,

ତୁମ ଉପସ୍ଥିତି କେତେ ଦୁଃଖ ଦିଏ

     ଚିନ୍ତା କରିବାର ଥିଲା।


ଅମଳ ଫସଲ ଉଜାଡି ଦେଇକି

     କି ଲାଭ ତୁମେ ପାଇଲ,

ଜ‌ଓ୍ଵାଦ୍ ହେ ତୁମେ ଜହ୍ଲାଦ ସାଜିଲ

     ଆଖିରେ ଲୁହ ଭରିଲ।


ଚାଷୀ କାନ୍ଦୁଅଛି ଧାନ ଭାସୁଅଛି

    ବିଲରେ ପାଣିର ସୁଅ,

ଛାତି ଫାଟିଯାଏ କେମିତି ବଞ୍ଚିବ

     ଆଜି ଏ ଓଡ଼ିଆ ପୁଅ ।


ବର୍ଷକର ଖାଦ୍ୟ ନିମିଷକେ ଆସି

    ଲୁଟି ନେଇ ଚାଲିଗଲ,

ଦାଉ ସାଧିବାକୁ ଆଗରୁ କି ତୁମେ

     ଏ ଯୋଜନା କରିଥିଲ ।


ପୁଷୁମାସ ବର୍ଷା କୁଶ କ‌ଅଁଳେନା

     ବଡ଼ ଲୋକେ କହିଥାନ୍ତି,

ତୁମେ କିନ୍ତୁ ଯେଉଁ ଭଳି ବର୍ଷିଗଲ

     ଭଲମନ୍ଦକୁ ନ ଚିନ୍ତି।


ପାଚିଲା କ୍ଷେତରେ ମହୀ ଦେଇଦେଲ

     ଧିଆନେ ଅନେଇ ଥିଲ,

ଅମଳ ସରିବା ପରେ ଆସିଥିଲେ

     ହୋଇକି ନ ଥାନ୍ତା ଭଲ ।


ଏମିତି ବର୍ଷକୁ କେତେ ଥର ତୁମେ

     ଆସିବ ଜବାବ ଦିଅ,

ତୁମ ପ୍ରିୟା ପ୍ରୀତି ବନ୍ଧୁବାନ୍ଧବଙ୍କ

      ତାଲିକା ଆମକୁ ଦିଅ।


ଜ‌ଓ୍ଵାଦ କହୁଛି ଶୁଣ ଶୁଦ୍ଧିଜନ

      ପୂର୍ବର ପଦିଏ କଥା,

ପନ୍ଦର ଦିନିଆ ଝରିବରଷାର

      ପଚରପଚର ରାସ୍ତା।


ତାହା କିନ୍ତୁ ଥିଲା ଶୁଦ୍ଧ ମ‌ଉସୁମୀ

      ଚତୁର୍ମାସ୍ଯା ବର୍ଷାଦିନେ,

ଆଜି କିନ୍ତୁ ବର୍ଷାଦିନ ଖରାଦିନ

      ବଦଳୁଛି କି କାରଣେ।


କାହିଁକି ମଣିଷ ଦେହରେ ପ୍ରେସର

       ଲୋ ହାଇ ହୋଇଥାଏ,

ସେମିତି ସମୁଦ୍ର ମଧ୍ୟେ ଲଘୁଚାପ

       ଉର୍ଦ୍ଧ୍ଵଚାପ ହୋଇଥାଏ।


ଜଙ୍ଗଲ ବିଧ୍ବସ୍ତ ପରିବେଶ ଧ୍ଵସ୍ତ

       କଳକାରଖାନା ସୃଷ୍ଟି,

ତେଣୁ ସନ୍ତୁଳନ ରହେନା ବାୟୂରେ

       ଆସେ ଏହି ପରିସ୍ଥିତି।


ପ୍ରଦୁଷିତ ଖାଦ୍ୟ ଯେମିତି ଦେହକୁ

       ଅବେଳେ ବିଗାଡିଦିଏ,

ପ୍ରଦୁଷିତ ବାୟୂ ସେମିତି ଏଭଳି

       ସ୍ଥିତି ଉପୁଜାଇଥାଏ।


ଦ‌ଇବ ଦୁର୍ଯୋଗ ଭାବି ନିଅ ୟାକୁ

      ଆମ ଦୋଷ ଦିଅ ନାହିଁ,

ଦେଖିବାକୁଗଲେ ପରୋକ୍ଷେରେ ପୁଣି

     ମଣିଷ ୟା ପାଇଁ ଦାୟୀ।


ଉନ୍ନତି ଯେତିକି ସେତିକି ଯେ କ୍ଷତି

     ଯେତିକି ପାଣି ଓ ମାଟି,

ଅବକ୍ଷୟ ବୋଲି ଜଣାପଡ଼େ ସିନା

     ପଡ଼ିଲେ ଏହି ବିପତ୍ତି।


‌ଜ‌ଓ୍ଵାଦର ଏହି ଜବାବରେ କିଛି

      ବାସ୍ତବତା ଦେଖାଯାଏ,

ଆମହାତେ ଆମ ପରିବେଶ ରକ୍ଷା

      ଏହି ଶିକ୍ଷା ଦେଉଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy