ଜଞ୍ଜୀର ବି ଗଲା ଛିଡି
ଜଞ୍ଜୀର ବି ଗଲା ଛିଡି
ଚତୁର ଇଂରେଜ ବଣିକ ଶାସନେ
ଦୀର୍ଘ ଦୁଇ ଶହ ବର୍ଷ
ପରାଧୀନତାର ଲୌହ ଶୃଙ୍ଖଳରେ
ଆବଦ୍ଧ ଭାରତଦେଶ ।
ହରାଇ ଜନତା ସ୍ୱାଧୀନ ଚେତନା
ନିଜସ୍ୱ ସୁଖ ସ୍ୱାଚ୍ଛନ୍ଦ
ତିଳ ତିଳ ହୋଇ ମରୁଥିଲେ ଜଳି
ଯେସନେ କୀଟ ପତଙ୍ଗ ।
କୋଟିଏ କଣ୍ଠରେ ନିନାଦିତ ହେଲା
ବଜ୍ରରୁ କଠିନ ସ୍ୱର
ସ୍ୱାଧିନତା ଅଟେ ଭାରତବାସୀଙ୍କ
ଜନ୍ମଗତ ଅଧିକାର ।
ଆମ ଦେଶ ମାଟି ପାଣି ପବନରେ
ପ୍ରତିଟି ଜୀବନ ପ୍ରାଣେ
ପ୍ରଜ୍ଜଳି ଉଠିଲା ବିଦ୍ରୋହର ଅଗ୍ନି
ସ୍ୱାଧିନତା ଆନ୍ଦୋଳନେ ।
ବିଦେଶୀ ଦ୍ରବ୍ୟର ହୋଇଲା ବର୍ଜନ
ଲବଣର ସତ୍ୟାଗ୍ରହ
ଗୋଳା ବନ୍ଧୁକରୁ ଖାତିର ନକରି
ଆଇନ୍ କଲେ ଅମାନ୍ୟ ।
ଏ ମାଟିର ପୁଅ ନେତାଜୀ ସୁବାଷ
ବଜ୍ର ଗମ୍ଭୀର କଣ୍ଠରେ
ପୁକାରିଲେ ଆସ ଦେଶବାସୀ ସର୍ବେ
ବୀର ମାରେ ଅବା ମର ରଣେ ।
ଗଢିଲେ ଫଉଜ ଆଜାଦ ହିନ୍ଦ
ବିଦେଶ ମାଟି ଉପରେ
ନିର୍ଦ୍ଦେଶ ତାଙ୍କର ଥିଲା ଜୟ ହିନ୍ଦ୍
ଦିଲ୍ଲୀ ଚଲୋ ବୀର ସୈନ୍ୟ ଗଣେ ।
ଅହିଂସା ମନ୍ତ୍ରରେ ହେଲା ତେଜିୟାନ
ସ୍ୱାଧିନତାର ମୁକ୍ତି ମନ୍ତ୍ର
ଚୂର୍ଣ୍ଣ କରିଦେଲା ଖଣ୍ଡ ଖଣ୍ଡ କରି
ସଶକ୍ତ ଲୌହ ଜଞ୍ଜୀର ।
ଉଡିଲା ତ୍ରିରଙ୍ଗା ହୋଇ ଫର ଫର
ଭାରତ ହେଲା ସ୍ୱାଧୀନ
ପାଳୁଅଛୁ ଆମେ ଏହି ମହାପର୍ବ
ଅଗଷ୍ଟ ପନ୍ଦର ଦିନ ।
ସାର୍ବଭୌମ ଆମ ମହାନ ଭାରତ
ଧର୍ମ ସାହିତ୍ୟ ସଂସ୍କୃତି
ଦେଖାଏ ବିଶ୍ୱକୁ ନୂତନ ଆଲୋକ
ଶାନ୍ତି ମାନବତା ନୀତି ।
-----
