ଜ୍ଞାନର ଭଣ୍ଡାର
ଜ୍ଞାନର ଭଣ୍ଡାର
ଶୁଣରେ ପିଲାଏ କହୁଛି କଥା
ଜ୍ଞାନର ଭଣ୍ଡାର ପୁସ୍ତକ ଗାଥା ।
କେତେ କେତେ ବହି ଥାକରେ ଅଛି
ଭେଦଭାବ ତାଙ୍କ ମନରୁ ପୋଛି ।
ନୀରବେ ଅଛନ୍ତି ଜ୍ଞାନକୁ ବହି
ମନରେ ତାଙ୍କର ଅସୂୟା ନାହିଁ ।
ଛୋଟ ହେଉ ବଡ଼ ସଭିଙ୍କ ପାଇଁ
ଜ୍ଞାନ ଦେବାପାଇଁ ଅଛନ୍ତି ଚାହିଁ ।
ଦିନ ରାତି ତାଙ୍କ ସବୁ ସମାନ
ବିପଦେ ଆପଦେ ସଦା ମଉନ ।
ବିଭିନ୍ନତା ମଧ୍ୟେ ଅଛି ଏକତା
ଜଗତବାସୀଙ୍କୁ ଦିଏ ବାରତା ।
ଗୀତ ଗପ ଚିତ୍ର ଶବ୍ଦ ଭଣ୍ଡାର
ଭୂତ ଭବିଷ୍ୟତେ ତା'କଳେବର।
ପୂରି ରହିଅଛି ବିଜ୍ଞାନ କଥା
ପୋଥି ପୁରାଣର ରହସ୍ୟ ଗାଥା ।
ହସ କଉତୁକେ ସେ ଭରପୂର
ଅଜଣା ପ୍ରଶ୍ନର ଦିଏ ଉତ୍ତର ।
ମନର ସନ୍ଦେହ ସେ ଦୂରକରି
ଅଜ୍ଞାନର ମନେ ଜ୍ଞାନକୁ ଭରି ।
ଜ୍ଞାନ ବାଣ୍ଟିବାରେ କରେନି ହେଳା
ନାହିଁ ତାହାଠାରେ ବେଳା ଅବେଳା ।
ମାଟିରୁ ଆକାଶ ପାଦୁ ମସ୍ତକ
ଗିରି କାନନରୁ ଦୂର ମୂଲକ ।
ଅଜଣା କଥାକୁ ଜଣେଇ ଦିଏ
ମନ ଆବେଗକୁ ତୁଟାଇ ଦିଏ ।
ମନଦେଇ ପିଲେ ପଢିଲେ ବହି
ତୁମ ଲକ୍ଷ୍ୟସ୍ଥଳେ ନେବ କଢାଇ ।
ଜ୍ଞାନରୂପେ ଶକ୍ତି ତୁମକୁ ଦେବ
ଉପହାର ଆଣି ଠୁଳ କରିବ ।
ପୁସ୍ତକ ଅଟଇ ପ୍ରକୃତ ବନ୍ଧୁ
ପାରି କରିନେବ ଏ ଭବସିନ୍ଧୁ ।
