ଜ୍ଞାନଗଙ୍ଗା
ଜ୍ଞାନଗଙ୍ଗା


ଗଙ୍ଗାମାତା ସିନା ପବିତ୍ର କରନ୍ତି ତାଙ୍କ ଜଳେ କଲେ ସ୍ନାନ
ପାପ ପଙ୍କ ସବୁ ଧୋଇ ହୋଇଯାଏ ପ୍ରାପ୍ତ ହେଲେ ଦିବ୍ୟଜ୍ଞାନ ।।
ଜ୍ଞାନ ଗଙ୍ଗା ଧାରା ଓଁକାର ଶବଦୁ ପ୍ରବାହିତ ଏହି ଧରା
ଜ୍ଞାନୀ, ଗୁଣୀ, ମୁନି ସେ ଧାରାକୁ ଆଣି ବାଣ୍ଟନ୍ତି ସଂସାର ସାରା ।।
ପ୍ରଭୁ ଭଗବାନ ଦ୍ୱାପର ଯୁଗରେ ସ୍ତବ୍ଧ କରି ବିଶ୍ୱବାସୀ
ଜ୍ଞାନଗଙ୍ଗା ଧାରା ଗୀତାର ବାଣୀରେ ସଂସାରେ ଦେଲେ ପରଶି।।
ଗୀତା ଜ୍ଞାନ ଅଟେ ଜ୍ଞାନ ଗଙ୍ଗାଧାରା ବେଦ ଉପନିଷଦର
ଅଳିକ, କ୍ଷଣିକ ସଂସାର ବକ୍ଷରେ ଚିରସ୍ରୋତା ନିରନ୍ତର ।।
ଧନ, ମାନ, ଯଶ ଚପଳା ପରାୟ ଆସିଥାଏ ଚାଲିଯାଏ ,
ଜ୍ଞାନଗଙ୍ଗା ସ୍ରୋତେ ପ୍ରାପତ ଜ୍ଞାନଟି ଚିରଦିନ ରହିଥାଏ ।।
ଜ୍ଞାନ ଗଙ୍ଗାରେ ଯେ ସ୍ନାନ କରିଅଛି ମୁକତିର ଆଶା ନେଇ
ପାଇଅଛି ସେହି ମୁକ୍ତିର ସନ୍ଧାନ କୃପାର ବାରିଧି ଛୁଇଁ।।
ଅଜ୍ଞାନ ଅନ୍ଧାରୁ ଜ୍ଞାନର ଆଲୋକ ମିଳେ ଜ୍ଞାନଗଙ୍ଗା ସ୍ପର୍ଶେ
ସେହି ଦିବ୍ୟସ୍ପର୍ଶ ପାଇଏ ମାନବ ପାପ ଶିକୁଳିରୁ ଖସେ ।।
ଭାରତ ଜନନୀ ଅଙ୍କରେ ଜନମି ନିଜକୁ ମଣ ହେ ଧନ୍ୟ
ଦିବ୍ୟଜ୍ଞାନାମୃତ ମୁନିଋଷିବାଣୀ ଆମକୁ କରେ ମହାନ।।