STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଜନମ ଲଭିବେ ଶ୍ରୀରାଧା

ଜନମ ଲଭିବେ ଶ୍ରୀରାଧା

1 min
121


ଜନମ ଲଭିବେ ଶ୍ରୀରାଧା ଝରିବ ପ୍ରେମ ସୁଧା,

    ସ୍ୱର୍ଗୀୟ ସେ ଭାବ ଭାବନା ଶାଶ୍ଵତ ଶୁଭ୍ରା ସ୍ନିଗ୍ଧା।

ଅମର ପ୍ରେମର ମହିମା ଘୁଞ୍ଚାଏ ଭବ ବାଧା,

     ପବିତ୍ର ପ୍ରାଣର ନୈବେଦ୍ୟ ଭକ୍ତି ପୂର୍ଣ୍ଣ ଶରଧା।

ଏକଦା ମନ୍ଦର ପର୍ବତ ଗୂହାରେ ସୂର୍ଯ୍ୟଦେବ,

    ଥିବାରୁ ସେ ତପସ୍ୟାରତ ଅନ୍ଧାର ହେଲା ଭବ।

ଦେବଗଣଙ୍କର ମିନତି ରଖିଣ ନାରାୟଣ,

    ଭାନୁଙ୍କ ନିକଟେ ଆସି ସେ କଲେ ବର ପ୍ରଦାନ।

ସୂର୍ଯ୍ଯଙ୍କ ଔରସେ ଜନ୍ମିବ ଯେ ଗୁଣବତୀ କନ୍ୟା,  

ରୂପରେ ଗୁଣରେ ହେବ ସେ ସଂସାରରେ ଅନନ୍ୟା।

ଶ୍ରୀହରି ସେ କନ୍ୟା ପ୍ରୀତିରେ ହୋଇବେ ବଶୀଭୂତ,

        ଦୁହିଁଙ୍କ ଅପୂର୍ବ ମିଳନେ ତରିବ ଏ ଜଗତ।

ଗୋପରେ ଜନ୍ମିଲେ ଭାସ୍କର ଯେ ବୃଷଭାନୁ ରାଜା,

   କୀର୍ତ୍ତିଦାଙ୍କୁ ପତ୍ନୀ ରୂପରେ ପାଇ ପାଳିଲେ ପ୍ରଜା।

ଭାଦ୍ରବ ମାସ ଶୁକ୍ଳପକ୍ଷ ପୁଣ୍ୟ ଅଷ୍ଟମୀ ଦିନ, 

    ବିଶାଖା ନକ୍ଷତ୍ରେ ଶ୍ରୀରାଧା କଲେ ଜନ୍ମ ଗ୍ରହଣ।

ସହସ୍ର ଭାନୁଙ୍କର ଜ୍ୟୋତି ଜିଣି ସେ କନ୍ୟାରତ୍ନ,

   ପିତାମାତାଙ୍କ କୋଳେ ଜନ୍ମି ବଢିଲେ ପାଇ ଯତ୍ନ।

ତାଙ୍କ ଦିବ୍ୟ ରୂପ ଲାବଣ୍ୟେ ଚମକିଲା ତ୍ରିପୁର,

  ଶ୍ରୀରାଧା ନାମରେ ତାଙ୍କୁ ଜାଣିଲା ସାରାସଂସାର।

ସେ ଆହ୍ଲାଦିନୀ ପ୍ରେମଶିଳା ରୂପବତୀ ରମଣୀ,

     ସୌନ୍ଦର୍ଯ୍ୟମୟୀ ଆଦିଶକ୍ତି ପ୍ରକୃତି ସ୍ଵରୂପିଣୀ।

ରାଧାରାଣୀ ସାନ୍ନିଧ୍ୟେ କୃଷ୍ଣ ରଚିଲେ ନିତ୍ୟରାସ,

   ସାରା ଜଗତରେ ଖେଳିଲା ଯେ ଆନନ୍ଦ ଉଲ୍ଲାସ।

କଳମ୍ବର ମୂଳ ଯୁମୁନା କୂଳ ହେଲା ପବିତ୍ର

     ରାଧାକୃଷ୍ଣ ଅମର ପ୍ରେମ ଲୀଳା ଭାବ ବିଚିତ୍ର।

ନନ୍ଦାଳୟେ ବୃନ୍ଦାବନରେ ଶ୍ରୀରାଧାକୃଷ୍ଣ ବେନି,

   ପ୍ରେମ ରସର କଲ୍ଲୋଳରେ ବୁହାଇଲେ ପାବନୀ।

ଶ୍ରୀରାଧାକୃଷ୍ଣ ପ୍ରେମ ସୁଧା ସେ ଅନନ୍ତ ଅପାର,

      ବର୍ଣ୍ଣିବାକୁ ନାହିଁ ତ ଅଭିଧାନେ ଶବ୍ଦ ସମ୍ଭାର।

ମହାରାଗର ସେ ପୀୟୂଷ ଶାଶ୍ଵତ ମହାରାସ,

    ପୂର୍ଣ୍ଣରେ ପୂର୍ଣ୍ଣତା ହିଁ ପ୍ରେମ ଅସମାପ୍ତ ଅଶେଷ।

ପ୍ରେମରେ ତାଙ୍କର ନାହିଁ ତ କିଛି ଭେଦ ବିଭେଦ,

      ଭକ୍ତିର ଭାବକୁ ତଲ୍ଲୀନ କରି ଦିଏ ଆନନ୍ଦ।

କୃଷ୍ଣ ବିନା ରାଧା କି ରାଧା ବିନା କୃଷ୍ଣ ଅଧୁରା,

      ସାର୍ଥକ ଜୀବନ ଏ ତତ୍ତ୍ଵ ହସାଏ ବସୁନ୍ଧରା।

ଏ ପୁଣ୍ୟ ତିଥିରେ ଶ୍ରଦ୍ଧାଳୁ ଆଶା ଭରସା କରି,

    ରାଧାକୃଷ୍ଣ ପ୍ରେମେ ରଖନ୍ତି ହୃଦେ ବିଶ୍ଵାସ ଭରି।

ଜନମ ଲଭିବେ ଶ୍ରୀରାଧା ଏ ସଂସାରରେ ପୁଣି,

     ଅମ୍ଳାନ ପ୍ରେମର ଆନନ୍ଦେ ହସିବ ଏ ଧରଣୀ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract