ଜଳୁଥାଉ ସଞ୍ଜବତୀ
ଜଳୁଥାଉ ସଞ୍ଜବତୀ
ଓଡ଼ିଶା ସଂସ୍କୃତି ମୋ ସଞ୍ଜବତୀ
ଘିଅ ଦୀପ ଝୁଣା ଧୂପ
ଚଉଁରା ମୂଳରେ ଭୂମିଷ୍ଠ ପ୍ରଣାମ
ଶୁଭ କଲ୍ୟାଣ ମନାସ ।
ଭଜନ ଜଣାଣ ଛାନ୍ଦ ଚଉପଦୀ
ଭାଗବତ ହରିବଂଶ
ଓଡ଼ିଆଙ୍କ ପ୍ରାଣେ ଭକ୍ତି ଛଳଛଳ
ପ୍ରଗାଢ ଧର୍ମ ବିଶ୍ଵାସ ।
ଜାଳି ସଞ୍ଜବତୀ ସଞ୍ଜୀବେ ମୋ ସ୍ମୃତି
ମୋ ସଂସ୍କୃତି ପରମ୍ପରା
ହସି ଉଠୁ ମୋର ଘର ପରିବାର
ମୋ ରାଇଜ ଦେଶ ଧରା ।
ପୁରୀ ନୀଳାଚଳ ଶ୍ରୀ ପୁରୁଷୋତ୍ତମ
ଧାମ ଗୋଲକ ବୈକୁଣ୍ଠ
ବିଜେ ବଳଭଦ୍ର ଶ୍ରୀ ଦେବୀ ସୁଭଦ୍ରା
ମହାପ୍ରଭୁ ଜଗନ୍ନାଥ ।
ଦଶ ଅବତାର ଗୁଣ୍ଡିଚା ବିଜୟ
ବାହୁଡ଼ା ଦଶମୀ ଯାତ୍ରା
ରଥରେ ବାମନ ଶ୍ରୀ ମଧୁସୂଦନ
ଉତ୍ସର୍ଗ ଅଧର ପଣା ।
ରାଜରାଜେଶ୍ଵର ଶ୍ରୀ ଜୀଉମାନଙ୍କ
ହୁଏ ଦିବ୍ୟ ସୁନାବେଶ
ଥାଟବାଟ ଭାଙ୍ଗେ ଭକତ ଗହଳି
ବଡ଼ ଦାଣ୍ଡ ଲୋକାରଣ୍ୟ ।
ବାରମାସେ ତେର ପରବ ପାଳନ
ଦେବପୂଜା ନିତି କାନ୍ତି
ଶୁଭ ତିଥି ବାର ମେଳା ମହୋତ୍ସବ
ପୂର୍ଣ୍ଣମୀ ଓ ସଙ୍କରାନ୍ତି ।
ମେଷ ଶୁକ୍ଳ ପକ୍ଷ ପ୍ରତିପଦା ତିଥି
ପବିତ୍ର ମହାବିଷୁବ
ପାଳନ୍ତି ଓଡ଼ିଆ ନୂତନ ବରଷ
ନବରାତ୍ର ଅୟରାମ୍ଭ ।
ବାସନ୍ତୀ ଦୁର୍ଗାଙ୍କ ପୂଜା ଆରାଧନା
ହନୁମାନଙ୍କ ଜୟନ୍ତୀ
ମହା ସମାରୋହେ ହୁଏ ଅନୁଷ୍ଠିତ
ହୋମ ପୂଜା ନିତି କାନ୍ତି ।
ରଜ ଦଶହରା ପର୍ବ ନୂଆଖାଇ
ଦୀପାବଳି ଲକ୍ଷ୍ମୀ ପୂଜା
ରଙ୍ଗ ର ଉତ୍ସବ ଦୋଳ ଯାତ୍ରା ମେଳା
ହୋଲି ଖେଳ ଭାରି ମଜା ।
ଐତିହ୍ୟ ସମ୍ପନ୍ନ ଓଡ଼ିଆ ସଂସ୍କୃତି
କୈବଲ୍ୟ ମୁକ୍ତି ଶ୍ରୀ କ୍ଷେତ୍ର
ଅନ୍ନକଣ ଯହିଁ ଶ୍ରୀ ମହାପ୍ରସାଦ
ଦାଣ୍ଡ ଧୂଳି ସୁପବିତ୍ର ।
ଓଡ଼ିଶା ଜୀବନ ପ୍ରଭୁ ଜଗନ୍ନାଥ
ଦାରୁ ଭୂତ ପରଂବ୍ରହ୍ମ
କୃପାକର ନାଥ ଦିଅ ଗତି ମୁକ୍ତି
ଜୟ ଜଗନ୍ନାଥ ଜୟ ।
---+++---
