ଜଳୁଛ ଆଜି?
ଜଳୁଛ ଆଜି?


ଜଳୁଛ ଆଜି ?
କେମିତି ଲାଗୁଛି ଏ ଜ୍ୱଳନର ସ୍ପର୍ଶ
ଅବିରତ ଧୂମମୟ ବାଷ୍ପରେ ରୁନ୍ଧିହୋଇ
ଅଣନିଃଶ୍ୱାସୀ ଲାଗୁଛି ନାଁ !!!!
ଇନ୍ଧନର ତତଲା ତାୱ୍ୱାରେ ବାୟୁର ବ୍ଯଗ୍ରତା
କିପରି ଅନୁଭୂତି ଜନ୍ମାଉଛି
କୁହନା ଥରେ ଦୃଢ କଣ୍ଠରେ
ଅପେକ୍ଷାରତ ଏ କର୍ଣ୍ଣଯୁଗଳ
ସେଇ ଶବ୍ଦକୁ ଆବୋରି ନେବାକୁ
ନିଜ ମାନସପଟରେ ........
ଆଉ ଦୀର୍ଘ ଉତ୍ତରର ଅପେକ୍ଷାରେ।
ଅନ୍ଧାରକୁ ତ କେବେ ଭଲପାଇନ
ଆଲୋକର ମାନ ରଖି ଜାଳିଦେଇଛ ସବୁ
ଶୀତଳତାକୁ ତ ନିଷ୍ଠୁର ପରିହାସ କର
ଆଜି ତେବେ ନୀରବ କଣ ପାଇଁ ??
ବନ୍ଧନ ତ ବୋଝ ତୁମ ପାଇଁ
ସେଥିଲାଗି ଧାଇଁ ଚାଲିଛ
ନିଜ ପରିଚୟ ଲୁଚେଇ
ବୟସର ଅପରାହ୍ନରେ ବି
ତୁମେ ଚାଲିଥାଅ ଛଦ୍ମବେଶ ଧରି।
କେତେ ବା ଲୁଚିବ ଆଉ କେତେ ??
ଜଳିବାର ଏତେ ଭୟ ଯଦି
କାହିଁ ଜାଳିଦେଇଛ ଏ ରକ୍ତମାଂସର ପିତୁଳାକୁ।
ବାରମ୍ବାର ମୃତ୍ୟୁର ଯନ୍ତ୍ରଣା ଦେଇ
କଣ ପ୍ରମାଣ କରିବାକୁ ଚାହଁ ??
ଆଜିଯାଏ ଜ୍ୱଳନକୁ ଡରି
ଜ୍ୟୋତ୍ସ୍ନାରେ ଭିଜି ପାରିନ
କି କେବେ ପଦାକୁ ବାହାରିନ ।
ମୁଁ ଯେ କେତେ ଜଳିଛି ଏକା ଏକା
ହିସାବ ରଖିନ ତମେ
ପ୍ରତିଶ୍ରୁତି ଆଉ ପ୍ରରୋଚନାରେ ।
ବନ୍ଧନ ମୁକ୍ତ କରି ତମେ ଉଡିଯାଇଥିଲ
ମୁଁ ଯାହା ଡେଣା ପିଟି ପିଟି
ଭାଗ୍ୟକୁ ଦୋଷ ଦେଉଥିଲି।