ଜୀବନ୍ୟାସ
ଜୀବନ୍ୟାସ
ଘର ଆଗରେ
ଗେଟ୍ ପାଖରେ
ଲହଡି ମାରୁଥାଏ
ମା' ଲଗେଇ ଥିବା
ଛନ ଛନିଆ ସଜନା ଗଛ
ଲମ୍ବା ଲମ୍ବା ଡାଳ
ଖେଳୁ ଥାଏ ଦୋଳି
ପବନ ସହିତ
ଆଖିମିଟିକା ଲୁଚକାଳି
ଗାଦୁଲ ମାଦୁଲ ସାଗୁଆ ପତ୍ର
ଆଇଲା ଗଲା ପାଦଚଲା
ପାଇଁ ଡାଳ ଭାଙ୍ଗି
ନେବାକୁ ଘରକୁ
ବୋଧେ ଖୋଳା
ଆମନ୍ତ୍ରଣ ନିମନ୍ତ୍ରଣ
ଅତ୍ର ତତ୍ର ସର୍ବତ୍ର ।
ବାପା ବସି
ଖବର କାଗଜ ପଢିବା ଯାଗାରୁ
ହାତ ପାଆଁନ୍ତାରେ
ଛୁଇଁ ହୁଏ
ସଜନା ପତ୍ର କଅଁଳିଆ
ଶୁଙ୍ଗି ହୁଏ
କଞ୍ଚା ପତ୍ରର ବାସ୍ନା ମହକ ଦିଆ
ବାଛି ହେଇଯାଏ
ବାରି ଦିଶୁଥାଏ
ସାଗୁଆ କଅଁଳିଆ ଡାଳ ଅଗ୍ରେ
ମୋଟା ମଳିଆ ନିଳିଆ
ଡାଳ ତଳୁଆ
ଥାକ ଥାକ ବ୍ୟଗ୍ରେ ।
ଫି ବର୍ଷ
ଦୁର୍ଗାପୂଜା ଛୁଟିରେ
ଘରକୁ ଗଲେ
ସଜନା ଶାଗ ଖରଡ଼ା -ପଖାଳ
କୋରା ନଡ଼ିଆ
ସଜନା ଶାଗ ଭଜା
ସଜନା ଛୁଇଁ ଆଳୁ ଭଜା
ଛୁଇଁ ବେସର ସାଙ୍ଗକୁ
ଝୋଳ ତରକାରି
ଗଡ଼ିଆ ମାଛ ସହିତ ମିଶିଲେ
ସୁଆଦ ବଢିଯାଏ ଚଢିଯାଏ
ଶତକଡ଼ା କେତେଭାଗ କହି ନ ପାରି
ବଳେଇ ବଳେଇ ଭାତ ଗୁଣ୍ଡା
ଖସିପଡ଼େ କଣ୍ଠା ତଳକୁ
ଆପେ ଆପେ
ସୋର ଶବଦ ନ କରି ।
ଛଟି କେଇ ଦିନ
ଖାଇବାକୁ ମିଳେ ସବୁଦିନ
ସଜନା ସାଗ
ବା ସଜନା ଛୁଇଁର
ରକମାରି ସୁସ୍ଵାଦୁ ବ୍ୟଞ୍ଜନ
ଜିଭ ବିଚରା
ଦାନ୍ତ ସବୁ ଖୁସିରେ ଆତ୍ମହରା
ଚୋଷେଇ ଚୋବେଇ
ପାରୁ ଉଡ଼େଇ
ଭୁଞ୍ଜନ୍ତି ଗିଳନ୍ତି ଫାଇବର ।
ସଜନା ଶାଗ ଭଜା
କଥା ଶୁଣୁ ଶୁଣୁ
ପିଲାମାନେ ମୁଁହ ମୋଡନ୍ତି
ଆଇରନ ଖାଦ୍ୟସାର
ବେଶି ଅଛି କହିଲେ
ଥରେ ଅଧେ
ପାଟିରେ ଦେଉ ଦେଉ
ଥୁ ଥୁ କରି
କାଢି ପକାନ୍ତି
ଶ୍ରୀମତୀଙ୍କର
ମିଛି ମିଛିକା ଗାଳି
ଅଧେ ହସନ୍ତି
ଦାନ୍ତ ଚିପି ଚିପି
ଶବ୍ଦହୀନ କରାଳି ।
ଏସନ ଥୁଣ୍ଟା
ସଜନା ଗଛକୁ
ଦେଖି ଆସିଲା ଭାବାନ୍ତର
ସଂବାଳୁଆ ଖାଇ
ଯାଇଛନ୍ତି ସବୁ ପତର
ଆମୂଳ ଚୂଳ
ପତ୍ର ଶୂନ୍ୟ ମହିରୂହ
କୀଟଦ୍ରଙ୍ଗ୍ଟ ସର୍ବାଙ୍ଗ ଶରୀର
ପତ୍ରର ପଞ୍ଜରା
ହାଡ଼ ଭିତରେ
ହାରି ଯାଉଛି ବିଚରା
ସୂକ୍ଷ୍ମତନ୍ତୁ ପରି
ପତ୍ରକୋଷ ଭିତରେ
ଲାଜେଇ ଯାଇଛି
ସତ୍ତା ସାରା ପସରା ।
ବିଚରା
ସଜନା ଗଛଟା ଝାଉଁଳି
ପଡିଛି ଓହଳି
ଯୌବନରେ ବି ପତ୍ରଝଡା
ପୋକଖାଇ ସାରିଦେଲେ
କଅଁଳ ପତ୍ର ପାଖୁଡା
ଶ୍ରୀହୀନ ଦିଶୁଛି ନିରିମାଖି
ଧୁଆଁବାଣ ଲଗେଇ
ଟାୟାର ଜଳେଇ
ଖେଦିବାକୁ ପୋଡିବାକୁ
ମାରିବାକୁ
ହେବ
ଦେହରେ ଅଠା ପରି ଲାଗିଥିବା
ସଂବାଳୁଆ ବଂଶ ବୁନିଆଦିକୁ
ସାରିବାକୁ
ସମାପ୍ତ ପରାସ୍ତ କରିବାକୁ ହେବ ।
ଶରତ ଶିଶିର
ନିଶି ଶେଷେ ଝରିବାକୁ ଅଧିର
ସଜନା ପତ୍ର ଓଠରେ
ପୁଣି ଢାଳିଦେବ ପ୍ରୀତିଫୁଲର ନିର୍ଝର
ଲଙ୍ଗଳା ଦେହରେ ପୁଣି ପ୍ରକୃତି ହସିବ
ଲାବଣ୍ୟ ଲେଉଟିବ ସଜନା ଗଛ ଚମକିବ
ପିଇ କାକରାମୃତ
ମାତାଲ ବୋବାଲ ହେବ
ନବ କଳେବର ଲଣ୍ଡା ମୁଣ୍ଡରେ
ପୁଣି କୁନି ତୁନି ପତ୍ର ଗଜୁରିବ ।
ଋତୁଚକ୍ରର ଏ ନିରନ୍ତର ବର୍ଣ୍ଣ ବିଭାସ
କାକର ଆଣିଦିଏ ଫି ବର୍ଷ ନୂଆ ଜୀବନ୍ୟାସ ।
