ଜୀବନଟା ସରି ଯାଇନି
ଜୀବନଟା ସରି ଯାଇନି
ହେ ମନୁଜ!
କାହିଁକି ଲୁଚି ଲୁଚି ଲୁହ ବୁହାଉଛ?
ସେ ଯେ ମୂଲ୍ୟବାନ ମୁକ୍ତା ! ତାକୁ ନଷ୍ଟ କରୁଛ?
ସ୍ବପ୍ନର ବାଲିଘର ଭାଙ୍ଗି ଯାଇଛି,
ମନଟା ତ ମରି ଯାଇ ନି !!
ନୟନ ଶଯ୍ୟାରେ ବିଶ୍ରାମ କରୁଥିଲା ଆଖିଏ ଲୁହ,
ଏମିତି ଝରିଗଲା, ଯେମିତି
ଯୋଉବନରେ ନିଦ୍ରା ଭଙ୍ଗ...
ତେବେ !
କିଛି ଜଳଧାରାର ପ୍ରବାହରେ, ଶ୍ରାବଣ ଶୁଖି ତ ଯାଇନି !
ବିଚ୍ଛୁରିତ କଣ୍ଠିମାଳା, ଇତସ୍ତତଃ ପଡ଼ିଛି
ନୟନୁ ଅଶ୍ରୁ ରାଜରାସ୍ତାରେ ନିଲାମ ହେଉଛି ,
ଦୀପ କେଇଟା ଲିଭି ଯାଇଛି,
ଅଗଣା ଅନ୍ଧକାର ହେଇନି ।
ଏଠି ଲାଭ କ୍ଷତିର ହିସାବ ହେଉଛି
ପୁସ୍ତକର ପୃଷ୍ଠା ବଦଳି ଯାଉଛି
ଠିକ୍ ଯେମିତି,
ଜୋଛନାକୁ ଫିଙ୍ଗି ଦେଇ ରଜନୀ,
ସକାଳର କଅଁଳ ଖରାରେ ବିମଣ୍ଡିତ ହେଉଛି !
କେତୋଟି ଖେଳନା ଭାଙ୍ଗିଯାଇଛି ସିନା, ଶୈଶବ ତ ମରିଯାଇନି !!
କଳସୀ ଭାଙ୍ଗିଛି କେତେକ,
କୂଳକୁ କଷ୍ଟ ହେଇନି !
ଜଳମଗ୍ନ ନାବ ଅନେକ !
ତଟରେ ଗହଳି କମିନି
ପତ୍ରଝଡ଼ାର ଶତ ଚେଷ୍ଟା,
କାନନ ତ ମରି ଯାଇନି ?
ତୋଫାନ ନେଇ ଆସିଛି ଧ୍ବଂସ,
ଧୂଳି ବାଲିର ପ୍ରଲେପ...
ଲୁଣ୍ଠିତ ହୋଇଛି ଉପବନ,
ହୋଇନି ଫୁଲର ମହକ!
କେଉଁ ଚେହେରାର ଅଭିମାନରେ,
ଦର୍ପଣ ତ ଭାଙ୍ଗି ଯାଇନି....
ହେ ମନୁଜ!
ଲୁଚି ଲୁଚି ଲୁହ ବୁହାଉଛ,
ଜୀବନ ତ ସରି ଯାଇନି...।