ଜୀବନଟା ଚାଲିଯାଏ ଆଖି ସାମ୍ନାରେ
ଜୀବନଟା ଚାଲିଯାଏ ଆଖି ସାମ୍ନାରେ
ସିଏ ଶୋଇ ନଥିଲା,
କେବଳ ଶୋଇବା ପରି ଜଣାପଡୁଥିଲା ,
ଏବଂ ଜାଣି ପାରୁଥିଲା,
ନିସ୍ତବ୍ଦତା ମାନେ ଧୀରେ ଧୀରେ,
ଠୁଳ ହେବାକୁ ଲାଗିଲେଣି, ତା' ଚାରି ପାଖରେ ।
ତା' ସତ୍ତାର ପାଚିରୀଟା ଦୋହଲିବାକୁ ଲାଗିଲାଣି,
ଚଇତି ପବନରେ, ଚଉଁରା ମୂଳେ ଜଳୁଥିବା,
ସଂଜ ବଳିତାର ଅସ୍ଥିର ଶିଖା ପରି ।
ଫଡ ଫଡ ହେଉଥିବା ତା' ଡେଣା,
ହଲି ପାରୁନଥିଲା, କେବଳ ଥରୁଥିଲା,
ଉଡି ଯିବାକୁ ଆଉ କିଛି ଦୂର ।
ଅସ୍ପଷ୍ଟ ବାକ୍ୟର ସ୍ୱର ମାନେ,
ବିଳିବିଳେଇ ହୋଉଥିଲେ ତା' ଓଠରେ ।
ଅମାବାସ୍ୟା ଚନ୍ଦ୍ରର ଅନ୍ଧାରିଆ ଜୁଆରରେ,
ସାମ୍ନାରୁ ଭାସି ଆସୁଥିଲା ମୃତ୍ୟୁ ।
କେହି ଜଣେ ତା' ନିର୍ବାଣ ପାଇଁ,
ପାଟିରେ ଗଙ୍ଗାଜଳ କେଇ ବୁନ୍ଦା ଦେଲେ ।
ସେ ଢୋକିବାକୁ ଚେଷ୍ଟା କଲା,
ବିନା ପ୍ରତିବାଦରେ ଆଖିରୁ କିଛି ଲୁହ ଗଡ଼ାଇ ।
କିଟି କିଟି ଅନ୍ଧକାର ଆଡକୁ ଗତି କରୁଥିବା,
ଝାପ୍ସା ଆଲୁଅରେ,
ଭୁଲିବାକୁ ସେ ଚେଷ୍ଟା କଲା
ତା'ର ଅଫିମଖିଆ - ନେଉଳ ପରି ସ୍ପନ୍ଦନକୁ।
କୁଟୁମ୍ବଙ୍କ - 'ଆହା ବିଚରା ବହୁତ କଷ୍ଟ ପାଇଲାଣି,
ମୁକ୍ତି ପାଇଯାନ୍ତା କି'- ଶବ୍ଦରେ
କ୍ଷତାକ୍ତ ତା' ହୃଦୟର ଯନ୍ତ୍ରଣାକୁ ।
ଘାଇ ହୋଇଯାଇଥିବା ନଦୀବନ୍ଧକୁ ବାନ୍ଧି ପୁଣି
ତା' ଉପରେ, ନୌକା ବିହାର କରିବାର ଆଶା ତା'ର ନଥିଲା ।
କେବଳ ଏକ କୋତରା ଲଗା ବିଛଣାରେ ଶୋଇ ରହି,
ଦୀର୍ଘ ନିଶ୍ୱାସ ନେବା ଛାଡ ଆଉ କିଛି ଉପାୟ ନଥିଲା ।
ନିସ୍ତବ୍ଦ ରାତିରେ ଯେତେବେଳେ ଦଲକାଏ ପବନରେ,
ଝର୍କାର ପରଦା ଅଣ୍ଟା ହଲାଇ
କିଛି ସମୟ ପାଇଁ ଉପରକୁ ଉଡ଼ିଯାଏ;
ତା' ବୁଜି ହୋଇ ଆସୁଥିବା ଆଖି ଦେଖିପାରେନା
ଭସା ବାଦଲ ପଛରେ ଲୁଚୁକାଳି
ଖେଳ ଖେଳୁଥିବା ତାରା ମାନଙ୍କୁ ।
କେବଳ ବାଇଗଣୀ, ଲାଲ ଓ ସାଗୁଆ ରଙ୍ଗର
ଧପ୍ ଧପ୍ ଆଲୁଅ ମାନେ,
ତା' ଘୁମୋଉଥିବା ଆଖି ଚାରିପଟେ ଘୁରୁଥାନ୍ତି
ପୁରା ଲିଭିଯିବା ପାଇଁ ।
ଅଦିନିଆ ବର୍ଷାଟା ରିମ୍ ଝିମ୍ ଗୀତ ଗାଇ ବରଷେ ।
ଲାଗେ ଯେପରି ଗଛ ଦେହରୁ ଝଡ଼ି ପଡିଥିବା,
ଶୁଖିଲା ପତ୍ର ଉପରେ ଝଣ୍ ଝଣ୍ ଶବ୍ଦ କରି ନାଚୁଛି ।
ବୋଧ ହୁଏ ବର୍ଷା ଆସେ ତା' ଟୋପା ଟୋପା ପାଣିରେ,
ଧୀରେ ପୋଛି ନେବାକୁ ତା' ଜୀବନକୁ ଓ ଜୀବନର ଲୁହକୁ ।
ନିଜ ମୂତରେ ଓଦା ହୋଇଯାଥିବା ଦେହ,
କର ଲେଉଟିବାକୁ ଚାହିଁଲା ।
କିନ୍ତୁ ଯନ୍ତ୍ରଣା ଏକ ଶିକାରୀ ପଶୁ ପରି,
ତା' ଶରୀରକୁ ଚାପି ଧରିଲା ।
ବାକି ରହିଯାଇଥିବା ସ୍ୱପ୍ନ ମାନଙ୍କୁ,
ତା' ପଞ୍ଝାରେ ଚିରି ଦେବାପାଇଁ ।
କେହି ଜଣେ ପାଖରେ ଥିଲା -
ତା'କୁ କର ଲେଉଟାଇ ଦେଲା ।
ମୃତ୍ୟୁ ପାଖକୁ ଆସୁ ଆସୁ ,
କିଛି ସମୟ ପାଇଁ ରହିଯାଇ,
ତା'କୁ ଗାଡେଇ ଚାହିଁଲା।
ମୁଣ୍ଡ ଉପରେ ଓ ଚାରିପଟେ
ସଫା ଲାଇଟ୍ ମାନେ ଜଳିଲେ ।
କିଏ ଜଣେ ପାଖକୁ ଆସି,
ସବୁଦିନ ପାଇଁ ଅଚିହ୍ନା ହେବା ପୂର୍ବରୁ, ନିରେଖି ଦେଖିଲା ।
ଆଖି ଖୋଲି ଚାହିଁବାକୁ ଆଉ ଜଣେ କହିଲା ।
ରକ୍ତ ଗୁଡାକ ନାଡ଼ୀ ଦେଇ ବୋହିବା ବନ୍ଦ କରିଦେଲେ ।
ଆତ୍ମୀୟ ମାନେ ନିଜ ସମ୍ପର୍କର ନାଁ ନେଇ ନାକରେ କାନ୍ଦିଲେ ।
କିନ୍ତୁ ମୃତ୍ୟୁ କହିଲା -
ମୁଁ ତାକୁ ଏବେ ଭଲ ପାଇ ବସିଛି ।
ନେଇଯିବି ତାଙ୍କୁ ଏକ ନିରାପଦ ନିସ୍ତବ୍ଦତାକୁ ।
ଜୀବନ କେବଳ ଜଳକା ହୋଇ ଚାହିଁ ରହିଥିଲା-
ଗୋଟେପଟେ ଛିଡା ରହିଥିବା ତା'ର ସମ୍ପର୍କ ଓ ସ୍ୱପ୍ନ ମାନଙ୍କୁ,
ଏବଂ ଅନ୍ୟପଟେ ଛିଡା ଥିବା ସଦ୍ୟ ତା' ପ୍ରେମରେ ପଡିଥିବା ପ୍ରେୟସୀ ମୃତ୍ୟୁକୁ !!