ଜୀବନ୍ତ ହୋଇଲେ ଛବି
ଜୀବନ୍ତ ହୋଇଲେ ଛବି
ବିଗତ ଦିନର ଫଟୋ ଦେଖୁଥିଲି
ଫୁରୁସତ ବେଳ ଦେଖି ,
ଅଚାନକ କିଛି ଛବି ଉପରେ ମୋ
ନଜର ତ ଗଲା ଲାଖି
ଥିଲା ପିଲାଦିନ କେତେ ଭଙ୍ଗୀ ଛବି
ଭାଇ ଓ ଭଉଣୀଙ୍କର ,
କିଏ ଖେଳୁଥିଲା ,ଫୁଲ ତୋଳୁଥିଲା
ଥିଲା କିଏ ଛାତ-ପର
ମାଆ କରୁଥିଲା ସୁଦଶା ବ୍ରତ ଯେ
ସଜାଡ଼ି ପୂଜା ସାମଗ୍ରୀ ,
କେବେ ଦେଉଥିଲା କୁଣ୍ଡା ଓ ତୋରାଣି
ଗାଈ ବାଛୁରୀଙ୍କ ଲାଗି
ବାଲି ଗଦା ପରେ ଛିଡ଼ା ହୋଇ ବାପା
ଉଠାଇଥିଲେ ଯେ ଫଟୋ ,
ମନେ ହେଉଥିଲା ପୃଥିବୀ ନୁହେଁ ଏ
ଯେମିତିକା ଚନ୍ଦ୍ରପୃଷ୍ଠ
ଥିଲା ମାମୁଁଘର ଅଜା ଆଈ ଛବି
ଜେଜୀମାଆ-ଜେଜେଙ୍କର ,
ଆମ ଜନ୍ମ ପୂର୍ବ ବାପା ମାଆ ଫଟୋ
ଥିଲା ତ ଭାରି ସୁନ୍ଦର
ପ୍ରତିଯୋଗିତାରେ ଜିତି ଭାଇଙ୍କର
ପୁରସ୍କାର ନେବା ଚିତ୍ର ,
ତାଙ୍କ ସହ ପୁଣି ଆହୁରି ଅନେକ
ରହିଥିଲେ ବନ୍ଧୁ-ମିତ୍ର
ତାଳିମାରି କୁନିପୁଅ ହସୁଥିଲା
ଦିଶୁଥିଲା ଭାରି ଭଲ ,
ଆତ୍ମୀୟସ୍ୱଜନ କେଡ଼େ ସରାଗରେ
କରୁଥିଲେ ତାକୁ ଗେଲ
ଛବି ଯେତେ ସବୁ ଜୀବନ୍ତ ହୋଇକି
ଆଖି ଆଗେ ଗଲେ ନାଚି ,
ଅତୀତର ସ୍ମୃତି ତାଜା ହୋଇଗଲା
ସୁଖ ଦୁଃଖ ମିଶାମିଶି
