ଜୀବନର ମାନେ ଯିବା ଆଗକୁ ।
ଜୀବନର ମାନେ ଯିବା ଆଗକୁ ।
ଜୀବନଟା ସତେ ଏକ ଅଙ୍କାବଙ୍କା ନଈ,
ପଥ ତାର ଅତୀବ ପିଛିଳ,
କେବେ କଙ୍କରିତ ପୁଣି କେବେ ସମତଳ |
ଏ ପଥରେ ଚାଲୁଚାଲୁ ଭେଟହୁଏ
ନାନା ଘଟଣା ଓ ଦୁର୍ଘଟଣା ସହ |
କିଏ କୃତ୍ରିମ ତ ପୁଣି କିଏ ପ୍ରାକୃତିକ |
କେବେ କରୋନା ପରି କୃତ୍ରିମ ଦୁର୍ଘଟଣା,
ପୃଥିବୀକୁ ହୁଲୁସ୍ତୁଲୁ କରି କରେ ବାଟବଣା |
ଉଜାଡି ଦିଅଇ କେତେ ସୁନାର ସଂସାର,
ସମ୍ପର୍କରେ କେବେ ପୁଣି ଉଠାଏ ପ୍ରାଚୀର |
ତଥାପି ଧୈର୍ଯ୍ୟର ସହ କରିବା ତାକୁ ମୁକାବିଲା |
ମାସ୍କ,ସାନିଟାଇଜର, ସାବୁନୁ ଓ ଟୀକା,
ଏସବୁ ସହିତ ତାକୁ କରିବାଟି ଦେଖା |
କେତେ ମହାମାରୀ ଆଗୁ ଆସିଛି,ଯାଇଛି,
ଇତିହାସ ଏବେବି ତା ଅଛି ମୁକସାକ୍ଷୀ |
ଏହାସହ ଆସେ ପୁଣି ପ୍ରକୋପ ବାତ୍ୟାର,
ମାଟିରେ ମିଶଇ ଆହା କେତେ ଚାଳଘର |
ମାଟିକାନ୍ଥ ପରି ବତୁରିଯାଏ କେତେସ୍ୱପ୍ନ କାର |
ଭିଟାମାଟି ଛାଡି ଲୋକେ ହୋଇ ନିରାଶ୍ରୟ,
ଜୀବନରଖିବା ପାଇଁ ଖୋଜନ୍ତି ଆଶ୍ରୟ |
ଭୋକିଲା ପେଟକୁ ମୁଠେ ଦାନା ଦେବାପାଇଁ,
ଭିଟାମାଟି ଛାଡି ଯାଏ ସହରକୁ ଧାଇଁ |
ବାତ୍ୟା ସହ ବର୍ଷାଆସେ ଆସେପୁଣି ବନ୍ୟା,
ଜଳବନ୍ଦୀ ହୋଇ କାନ୍ଦେ ଅଭିଆଡି କନ୍ୟା |
ଫସଲରେ ବାଲିଚରେ ମଥାକୋଡେ ଚାଷୀ,
ଯନ୍ତ୍ରଣାରୁ ମୁକ୍ତି ପାଇଁ ଖୋଜେ ବିଷ ଶିଶି |
ସମୁଦ୍ରରେ ଯେବେ ଆସେ ବାତ୍ୟା,
ସୁନାମୀ ତ ଆସଇ ଅଗତ୍ୟା |
ସମୁଦ୍ର ଆସଇମାଡି
ଲେଲିହାନ ରୂପ ଧରି
ଗର୍ଭରେ ତା ହୁଏ ଲୀନ,
କେତେ ଗାଆଁ, କେତେ ଘର,
କେତେକେତେ ମଣିଷ ଜୀବନ |
ଦୁର୍ଦ୍ଦଶାର ଅନ୍ତ ନାହିଁ ଏଠି,
ତଥାପିବି ଯିବାନାହିଁ ଥକି |
ଧୈର୍ଯ୍ୟ ଓ ସାହାସ ସହ
ଚାଲିଥିବା ଆଗକୁ,ଆଗକୁ |
କାରଣ ଜୀବନର ମାନେ ଯିବା ଆଗକୁ,
ଅଟକିବା ନାହିଁ ଆମେ କେଉଁଠି,
ରହିଯାଏ ଯିଏ ଅଧାବାଟରେ
ଜୀବନ ଅଟକିଯାଏ ସେଇଠି |