ଜୀବନର ବାଜି
ଜୀବନର ବାଜି
ଜୀବନର ପଥ ବଡ଼ କଣ୍ଟକିତ
ଚାଲି ନ ଶିଖିଛି ଯିଏ
ଝୁଣ୍ଟି ପଡେ ସଦା ଆସେ କେତେ ବାଧା
ଏକାତ ଜାଣିଛି ସିଏ ।
ଅନେକ ବନ୍ଧୁର ପଥ ହୋଇ ପାର
ଜଗତେ ଆଜି ମୁଁ ଠିଆ
ସହିଅଛି ଦୁଃଖ କଷ୍ଟ ବାରବାର
ଭାଳି ଥରିଯାଏ ହିଆ ।
ଜୀବନଟା ମୋର କଲ୍ଲୋଳିନୀ ଧାର
ଅଙ୍କାବଙ୍କା ଯାଏ ବହି
କେବେ ଦିଏ ସୁଖ କେବେ ଦିଏ ଦୁଃଖ
ବଞ୍ଚିଅଛି ସବୁ ସହି ।
ଦୁ଼ଃଖେ ସନ୍ତାପିତ ହୋଇ ମୋ ହୃଦୟ
କଠିନ ଯାଇଛି ହୋଇ
ଆସୁ ଯେତେ ଝଡ ଝଞ୍ଜାର ସକାଳ
କେବେ ନଇଁଯିବି ନାହିଁ ।
ବିନା ସଙ୍ଘର୍ଷରେ ଏ ଧରା ବୁକୁରେ
ତିଷ୍ଠି ରହିପାରେ କିଏ
ସାହସ, ବିଶ୍ବାସ ଯାହା ପାଶେ ଠୁଳ
ଏକା ବାଜି ଜିତେ ସିଏ ।
ପରାଜୟ ଗ୍ଲାନି ଜମା ମୁଁ ଭୁଲିନି
ଅସ୍ତ୍ର କରି ଅନୁଭୂତି
ସଂସାରେ ରହିଛି ସଂସାରେ ରହିବି
ଜୀବନର ବାଜି ଜିତି ।
