ଜୀବନ୍ମୃତ
ଜୀବନ୍ମୃତ
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ
ମରଣ ପରେ ମରଣ ଆସେ, ପଥ ତାର ଜଣା ନାହିଁ,
ଜାଣିଛି ବୀର ଏମିତି ପଥ, ପୁନଃ ମୃତ୍ୟୁ ହେବ ନାହିଁ l
ସାଧୁ ମରିଲେ ରୋଦନ କିମ୍ପା, ଯାଉଛି ସେ ନିଜ ଘର,
ଶାକ୍ତ ନିମନ୍ତେ ରୋଦନ କର, ବୁଲୁଛି ଯେ ବାର ଦ୍ଵାର l (ଶାକ୍ତ – ଦାସ, ଯିଏ ଜନ୍ମ ମୃତ୍ୟୁ ଚକ୍ରରେ ବୁଲୁଛି )
ମୃତ୍ୟୁ କାମନା କରୁଅଛି ମୁଁ, ରାମ ଦ୍ଵାର ସାମନାରେ,
ନ ପଚାରନ୍ତୁ ଶ୍ରୀହରି ଦେଖି, ପଡ଼ିଛି କିଏ ମୋ ଦ୍ଵାରେ l
ବିଦ୍ଵେଷୀ ଲୋକ କରନ୍ତି ନିନ୍ଦା, ଅପ୍ରାପ୍ତ ତାଙ୍କର ଜ୍ଞାନ,
ରାମ ମଦିରା ଯେ ପାନ କରେ, ଅନ୍ୟଥିରେ କାହିଁ ମନ ?
ପରର ଦୋଷ ଦେଖି ଯେ ହସେ, କରେ ଥଟ୍ଟା ପରିହାସ,
ଯେ ଦେଖେ ନାହିଁ ନିଜର ଦୋଷ, ନାହିଁ ତାଙ୍କ ଆଦି ଶେଷ l
ନିନ୍ଦୁକ ଲୋକ ରଖ ପାଖରେ, ଦିଅ ବନେଇ କୁଟୀର,
ସେମାନେ ମାଜି ସଫା କରିବେ, ମନ୍ଦ ଚରିତ୍ର ତୁମର l
ନିଜ ପ୍ରଶଂସା କରନି କେବେ, କରନି ନିନ୍ଦା ଅନ୍ୟର,
ବାକି ରହିଛି ଅନେକ ଦିନ, ଅଜଣା ଭାଗ୍ୟ କାଲିର l
ଯେବେ ମୁଁ ଥିଲି, ହରି ନ ଥିଲେ, ହରି ଅଛନ୍ତି ମୁଁ ନାହିଁ, (ମୁଁ – ଗର୍ବ )
ହୃଦେ ପ୍ରଦୀପ ଜଳିଲା ଯେବେ, ଅନ୍ଧାର ହଜିଲା କାହିଁ l
