ଜୀବନକୁ ଭଲ ପାଅ
ଜୀବନକୁ ଭଲ ପାଅ
ବର୍ଷିବାକୁ ଦେଲେ ସିନା
ଶ୍ରାବଣୀ ବର୍ଷିବ !
ଭିଜିବାକୁ ଚାହିଁଲେ ତ
ବର୍ଷାରେ ଭିଜିବ !!
ତୁମେ ତ ପ୍ରେମ କରୁଛ
କାଳବୈଶାଖୀକୁ !
ଅନ୍ତର୍ଦହନ ସର୍ବଦା
ଗ୍ରାସିଛି ତୁମକୁ !!
ଭିଜା ମାଟିର ସୁଗନ୍ଧ
କେଉଁଠୁ ପାଇବ ?
ସଦାବେଳେ ଦିବାସ୍ୱପ୍ନେ
ଚାନ୍ଦକୁ ଖୋଜିବ !!
ଶ୍ରାବଣୀ ନୁହେଁ ନିଷ୍ଠୁରା
ନିଷ୍ଠୁର ତ ତୁମେ !
ସ୍ୱର୍ଗସୁଖ ଖୋଜିଚାଲ
ତୁଚ୍ଛ ମର୍ତ୍ତ୍ୟଧାମେ !!
ଶ୍ରାବଣୀ ପ୍ରକୃତିକନ୍ୟା
ନୀତିରେ ସେ ଥାଏ !
ମଣିଷ ହିଁ ଅନୈତିକ
କର୍ମେ ଲିପ୍ତ ହୁଏ !!
ଜୀବନଟା ନୁହେଁ ଖାଲି
ଦୁଃଖ ଗନ୍ତାଘର !
ଆସ , ଦୁଃଖରେ ଖୋଜିବା
ସୁଖର ସମ୍ଭାର !!
ମନା ନାହିଁ, ହୁଅ ବନ୍ଧୁ
ତୁମେ ସୌଦାଗର !
କିଣାବିକାର ସହରେ
ସୁଖ ବିକ୍ରି କର !!
ସେ ସୁଖ ବିକ୍ରିକୁ କର
ବିକ୍ରିକରମୁକ୍ତ !
ଦେଖିବ ତୁମ ପାଇଁକି
ଆଶ୍ୱସ୍ତି ଉନ୍ମୁକ୍ତ !!
ସୁଖ ବିକ୍ରି କରୁ କରୁ
ନିଜେ ସୁଖୀ ହେବ !
ବିଚିତ୍ର ସେ ଅନୁଭବ
ଚାଖିଲେ ଜାଣିବ !!
ଦୁଃଖ ତ ଆଗ୍ନେୟଗିରି
ସୁପ୍ତ ହୋଇ ରୁହେ !
ତୁମ ଦୁର୍ବଳତା ନେଇ
ଉଦ୍ଗୀରଣେ କୁହେ !!
"ରେ ମଣିଷ ! ତୋ' ସ୍ୱାର୍ଥକୁ
ତୀବ୍ର ଘୃଣା କରେ !
ଆଗ୍ନେୟଗିରି ମୁଁ , ସତ୍ୟ
ସ୍ୱୀକାର ବି କରେ !!
ମୋ' ପାଇଁ ତ ଲିପିବଦ୍ଧ
ସ୍ୱତନ୍ତ୍ର ନିୟମ !
ଅନୀତି କର୍ମରେ ଲିପ୍ତ
ନୁହେଁ ମୋ' ଜୀବନ !!
ମଣିଷ ତୁ ଅହଙ୍କାରୀ
ସେଥିପାଇଁ ଦୁଃଖୀ !
ମୁଁ ତ ଅଟେ ସାଧାରଣ
ବିରହୀ ବୈଶାଖୀ !!
ତୋ' ପ୍ରେମରେ ମୁଁ ଯେ ବନ୍ଧା
ତେଣୁ ହୁଏ ସୁପ୍ତ !
ବର୍ଷ ବର୍ଷ କଷ୍ଟ ପାଏ
ହୁଏନି ବିକ୍ଷିପ୍ତ !!"
ଦୁଃଖ ହିଁ ଅଙ୍କୁରିଥାଏ
ସୁଖ ବଟବୃକ୍ଷ !
ଜୀବନକୁ ଭଲ ପାଅ
ଲୋଡ଼ା ନାହିଁ ମୋକ୍ଷ !!
ଆସ ବନ୍ଧୁ ଶ୍ରାବଣୀକୁ
ଶ୍ରଦ୍ଧାରେ ଡାକିବା !
ତା' ପ୍ରୀତି ପଣତ ତଳେ
ଭିଜି ଭିଜି ଯିବା !!
ଭିଜି ଭିଜି ସାଉଁଟିବା
ନୈସର୍ଗିକ ପ୍ରେମ !
ମାନବବାଦରେ ଗଢ଼ା
ପ୍ରୀତି ଅନୁପମ !!