ଜୀବନ
ଜୀବନ
ଜୀବନ କା'ଲାଗି ସୁନାର ସକାଳ
ରୂପାର ଚନ୍ଦ୍ରମା ରେଣୁ,
ପ୍ରୀତିର ସଙ୍ଗୀତ, ଅଜଣା ଇଙ୍ଗିତ
କେବେ ସେ ମୋହନ ବେଣୁ।
ଜୀବନ କା'ଲାଗି ଲୁହର ବନ୍ୟାରେ
ଭସା ଖପରୁଲି ଘର,
ବେଦନା ଝଡର ତାଣ୍ଡବରେ ଲେଖା
ଉଜୁଡା ଅସ୍ତିତ୍ବ ତା'ର।
ଜୀବନ କେଉଁଠି ଦୁଇ ମୁଠା ମାଟି
ଶ୍ବାସ କ୍ଷଣସ୍ଥାୟୀ ବାୟୁ,
ଆତ୍ମା ନିରାକାର ବ୍ରହ୍ମର ସ୍ବରୂପ
ନଶ୍ବର ଶିରା ଓ ସ୍ନାୟୁ।
ଜୀବନ ତ ଏକ ପାଣିର ଫୋଟକା
କେଜାଣେ କେ କାହିଁ ଯାଏ,
ମୃତ୍ୟୁ ପରେ ପୁଣି ଜୀବନ କି ଶୂନ୍ଯ
ତା କହିପାରିବ କିଏ?
ଜୀବନ ଅଳିକଟିଏ....
ତା'ଲାଗି ଉପମା ନ ହୁଅଇ ଲୋଡା
ନିଜେ ଚିତ୍ରକଳ୍ପ ସିଏ ।
ଜୀବନ ତ ଏକ ଦୁର୍ଦ୍ଦଶ ଯୋଦ୍ଧାର
ଶାଣିତ ଅସୀର ଧାର,
ଏ ଜୀବନ ପୁଣି ଆକ୍ରମଣ ଓ ଆତ୍ମରକ୍ଷାର
ବିଧିବଦ୍ଧ ସମାହାର।
ଜୀବନ ତ ଏକ ଯଜ୍ଞ ଆହୁତି
ଲୋହିତ ହବନ ଶିଖା,
ଜୀବନ ହିଁ ଏକ ସୀମିତ କାଳର
ସମୁଚିତ ମହାଶିକ୍ଷା।