ଜୀବନ ସିଢ଼ି
ଜୀବନ ସିଢ଼ି
କୋଣରେ ବସିକି କାନ୍ଦୁଛୁ କାହିଁ
କେଉଁ ଡର ତୋର ମନେ ଅଛଇ l
ଭୟ କୁ ଦେ ତୁ ମନରୁ ପୋଛି
ପରିଶ୍ରମ ରାସ୍ତା ନେ ତୁ ବାଛି l
ବିନା ପରିଶ୍ରମେ ସଫଳ କେହି
ଏହି ଜଗତରେ ହୋଇ ତ ନାହିଁ l
ଆଗକୁ ବଢିବା ପାଇଁକି ତୁହି
କି ପାଇଁ ମନରେ ଭୟ ସଂଚାଇ l
ଭାଗ୍ୟ ଭଗବାନେ ତୁ ନିନ୍ଦୁ କାହିଁ
ନିଜକୁ ନିଜେ ତୁ ନ ସଜାଡି ହୋଇ l
ବହୁତ ପାଇବା ଆଶା ରେ ତୁହି
ହରେଇବା ଭୟ ମନେ ଘୁରଇ l
ହାତଟି ଯାହାର ପାଖରେ ନାହିଁ
ଭାଗ୍ୟ ରେଖା ତାର ଆସିବ କାହିଁ l
ପରିଶ୍ରମ ଆଉ ସାଧନା ବଳେ
ନିଜ ଭାଗ୍ୟ ନିଜେ ଲେଖଇ ହେଳେ l
କେବେ ଖାଲି ହସ୍ତ ହେବନି ତୋର
ପରିଶ୍ରମ ଫଳ ଚାଖିବୁ ଧୀର l
ପରିଶ୍ରମ କେବେ ବୃଥା ଯାଏନା
ଏହି ଛୋଟ କଥା ମନୁ ଭୂଲନା l
ସପନ ଦେଖିକି ଖୋଲା ଆଖିରେ
ସାକାର କରତୁ ତାହାକୁ ଧୀରେ l
ସଫଳତା ଶିଢ଼ି ଯେବେ ଚଢ଼ିବୁ
ହାରିଯିବା ଭୟ ମନୁ ପୋଛିବୁ l
ଥକି ଗଲେ ଟିକେ ବିଶ୍ରାମ ନେବୁ
କିନ୍ତୁ କେବେ ଧର୍ଯ୍ୟ ତୁ ନ ହାରିବୁ l
ଅତି ଲମ୍ବା ଅଟେ ତୋ ଲକ୍ଷ୍ୟ ପଥ
ପଡି ଉଠି ତୁହି ଚଳା ତୋ ରଥ l
ଜୀବନରେ ପ୍ରତି କ୍ଷଣେ ପରୀକ୍ଷା
ଦେବାକୁ ହୁଏ ଏ ସତ୍ୟ ର ବ୍ୟାଖ୍ୟା l
ହାରିବା ଜିତିବା ଜୀବନ ଖେଳ
ବୁଝିବା ଆଗରୁ ନ ସରୁ ବେଳ l
ସାଗର ଲହରୀ କୂଳକୁ ଛୁଇଁ
ପୁଣି ନିଜ ସ୍ଥାନେ ଫେରି ଆସଇ l
କୂଳକୁ ଛୁଇଁ ତୁ ଲହରୀ ପରି
ଆଗକୁ ବଢ଼ିବୁ ନ ଆସି ଫେରି l
ଲକ୍ଷ୍ୟ ସ୍ଥଳ କେବେ ବଦଳେ ନାହିଁ
କର୍ମ ବଦଳେଇ ଆଗାରେ ତୁହି l
ଜୀବନର ଆଜି ଶେଷଯେ ଦିନ
ଏହିକଥା ମନେ ରଖ ନାରଣ l
ପ୍ରତିଟି ମୁହୂର୍ତ୍ତ ଖୁସିରେ ବଞ୍ଚି
ଖୁସିର ମଞ୍ଜି ତୁ ଦେରେ ବିଞ୍ଚି l
ପଥରେ ଆସିବ ହଜାରେ କଣ୍ଟା
ସବୁ ପଛକରି ଭିଡ ତୁ ଅଣ୍ଟା l
ସଫଳ ହେବୁ ତୁ ନିଶ୍ଚୟ ଦିନେ
ଦୃଢ଼ ବିଶ୍ୱାସ ଓ ଭରସା ପଣେ l