ଜୀବନ ରହସ୍ୟ
ଜୀବନ ରହସ୍ୟ
ଦଦରା ନାଆଟା ସାଗରେ ଭାସୁଛି
ପବନ ବହୁଛି ଅତି ପ୍ରଖର,
ଉଡାଇନେବ କି ବୁଡାଇଦେବ ସେ
କି ହେବ, ନା ଅଛି ଠିକଣା ତା'ର ।
କଳା ମେଘ ଘୋଟି ରହିଛି ଆକାଶେ
ବରଷା ହେବ କି ମିଳେଇ ଯିବ,
ସାଗର ଲହଡି ଭାଙ୍ଗୁଛି ଉମଙ୍ଗେ
ବାଲୁକା ସ୍ଥାୟିତ୍ୱ କିଏ କହିବ ।
ନଶ୍ବର ଶରୀର ଅସ୍ଥାୟୀ ଜୀବନ
ଜୀଇବା ମରିବା ନାହିଁ ଠିକଣା,
ତେବେ ବି ଆସକ୍ତି ଜାଗ୍ରତ ହେଉଛି
ମନୁଷ୍ଯକୁ କରୁଛି ବାଟବଣା ।
ଆସିବା ଯିବାର ଠିକଣା ଗୋଟିଏ
ପଥ ରହିଛି ଅନେକ ପ୍ରକାର,
ସୁପଥ କୁପଥ ବିଚାରକୁ ନିଏ
ସ୍ଥିରଚିତ୍ତ ରହିଥାଏ ଯାହାର ।
ମହୀମଣ୍ଡଳରେ ଜନମ ହୋଇଲେ
ଦେବତା ହେଲେ ହେଁ ନିଶ୍ଚେ ମରଇ,
ମୃତ୍ଯୁ ଯଦି ଅନିବାର୍ଯ୍ଯ ଜୀବନରେ
ଆସକ୍ତି ମନରେ ଜାଗେ କିମ୍ପାଇଁ ।
ସରଳ ସୁଗମ ପଥ ବାଛିନେବା
ବୁଦ୍ଧିମାନ୍ ଜୀବର ଏହି ଧର୍ମ,
ଦୁର୍ଗମ ପଥରେ ପଥିକ ହୋଇଲେ
ଅକାରଣ ହୋଇବ ପଥଶ୍ରମ ।
ବୁଦ୍ଧି ବିଚାରି ଯେ କାର୍ଯ୍ୟ କରୁଥାଏ
ପ୍ରମାଦ ନ ପଡେ ତାର ଜୀବନେ,
କୁପଥେ ପଥିକ ହୋଇଲେ ମନୁଷ୍ଯ
ବିପର୍ଯ୍ୟୟ ଅନିବାର୍ଯ୍ଯ କାରଣେ ।