STORYMIRROR

Sasmita Choudhury

Abstract

4  

Sasmita Choudhury

Abstract

ଜୀବନ ମୋ ଦୋ-ଛକିରେ

ଜୀବନ ମୋ ଦୋ-ଛକିରେ

1 min
204


ଭଲ ପାଇବାକୁ 

ସାଉଁଟି କାହ୍ନୁରେ 

ପାଇଲି କଳଙ୍କ ଟୀକା, 

ବଶୀଭୂତ ଯେଣୁ 

ସାନ୍ନିଧ୍ୟେ ମୁଁ ତୁମ 

ଡେଇଁ ଗଲି ସୀମାରେଖା। 


ଲୁହରେ ମୋ ଲେଖି 

ଦେଇଥିଲି ଚିଠି 

ବେଦନା ବତୁରା ଭାଷା, 

ଗୋପରୁ ମଥୁରା 

ଅବା ଦ୍ବାରକାକୁ 

ବୈତରଣୀ ମୋର ଆଶା। 


ତୁମ ରାଗିଣୀରେ 

ଅନୁବନ୍ଧିତ ମୁଁ 

ତଥାପି କାହିଁକି ଡର, 

ଦୁଇ କୂଳକୁ ମୁଁ 

ହିତା ଅବା ପିତା 

ବିବେକ ପଚାରେ ମୋର। 


ପୀରତି ପାଳିବା

ନୁହେଁ ସାଧାରଣ 

ଅସୀ ଧାରେ ମୋର ପାଦ, 

ତୁମରି ପ୍ରୀତିର 

ପ୍ରାପ୍ତି ଆଶାରେ 

ଜୀବନ ମୋ ବରବାଦ। 


କେଉଁ ସ୍ଥିତି ରେ ଯେ

ଠିଆ ମୁଁ... 

ଅତୀତ ଡାକେ 

ଫେରିଯିବା ପାଇଁ, 

ଫେରିଯିବା ପଥ

ରୁଦ୍ଧ ମୋ ପାଇଁ 

ବର୍ତ୍ତମାନେ ଜଳୁଥାଇ। 


ଅନ୍ତଃକଣରଣ ବା

ଅନ୍ତର୍ଦୃଷ୍ଟି ରେ 

କୋଉଠି ରହିଲା ତ୍ରୁଟି, 

ବୁଝା ପଡିଲାନି

କେ ଆପଣା ପର-

ପଥ ପ୍ରାନ୍ତେ ଗଲି ଝୁଣ୍ଟି। 


ପ୍ରେମ, ପ୍ରତାରଣା 

ଲାଗେ ଏକାକାର, 

ଆଗେ କୂଅ ପଛେ ଖାଇ, 

ନିଃସ୍ବ ଜୀବନ ମୋ

ଦୋ'ଛକିରେ ଆଜି 

ଶୂନ୍ଯେ ରହିଛି ଚାହିଁ। 










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract