STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ଜୀବନ ଗୀତା

ଜୀବନ ଗୀତା

1 min
305


ପ୍ରଶ୍ନ ପଚାରିବ ଦୁନିଆଁ,

ଉତ୍ତର ନ'ଦେଲେ ମନୁଆଁ,

ପ୍ରଶ୍ନଟିଏ ହୋଇ ନିଜେ ତୁ ରହିଯିବୁ ଶେଷରେ,

ଠିକେ ଠିକେ ଦେଲେ ଉତ୍ତର ସାର ହେବୁ ସଂସାରେ।


ମନ ଆଇନାକୁ ଧୂଆଁରେ,

ଘୋଡାଇ ରଖିଲେ,ଶେଷରେ

ନିଜ ମୁହଁ ଚିହ୍ନି ହୁଏନା,ପରିଚୟ ରହେନା

ମନକୁ ନିର୍ମଳ ରଖିଲେ ହେବୁ ସଂସାରେ ସୁନା। 


ଯେତେ ପଢି ଥାଆ ପାଠକୁ,

ଜନ୍ମମାଟି,ବାପ ମାଆଙ୍କୁ,

ଭୁଲିଗଲେ ତୋତେ ମୂରୁଖ ବୋଲିବ ଏ ସଂସାର,

ଦୁନିଆଁ ଚଳଣି ପାଠଟି ସବୁ ପାଠରେ ସାର।


ଯେପରି ସଂସ୍କାର ଦେବୁ'ରେ,

ପିଲାଏ ମାନିବେ ସବୁ'ରେ,

ସଂସାର ରଥରେ ସ୍ବାର୍ଥକୁ କଲେ ସାରଥି ତୁହି,

ନିଜ ସୁନା ଭେଣ୍ଡି ହୋଇବେ କାନ୍ଦୁଥିବୁ ସକେଇ।


ଯାହା ଦେଇଥିବୁ ପରକୁ,

ସୁକୃତ ହେବ ସେ ଘରକୁ,

ଗଲାବେଳେ କି'ବା ନେବୁ ତୁ କିପାଁ ଲୋଭ ଏସନ,

ଘର ପୁଅ ହେବ ଭୋକିଲା ମୁହେଁ ଦେଲେ ତୁ ଅନ୍ନ।


ଅଥାର କରି ତୁ ମୁହଁକୁ

କଥା ନ କହିଲେ କାହାକୁ,

ନାଆ ଯାଉ କଲିକତାକୁ କିସ ଯାଏ କାହାର,

ହସିଦେଲେ ଥରେ ମିଳିବ ହସଫୁଲ ହଜାର।


ହସିଲେ ଦୁନିଆଁ ହସିବ,

କାନ୍ଦିଲେ କିଏ ବା କାନ୍ଦିବ

ହସ ଫୁଲ ବିଞ୍ଚି ସଂସାର କର ସୁବର୍ଣ୍ଣ ପଥ,

ଗଡିଯାଉ ସେହି ପଥରେ ସ୍ନେହ, ଶ୍ରଦ୍ଧାର ରଥ।


ମହା ମାୟା ଭରା ସଂସାର,

ଯଶ ରଖି ହୁଅ ଅମର

ଆସିଲା ବେଳେ ତୁ କାନ୍ଦିଲୁ, ହସୁଥିଲା ଦୁନିଆଁ,

ଗଲାବେଳେ ସର୍ବେ କାନ୍ଦିବେ ରଖ ଏପରି ନାଆଁ।


Rate this content
Log in

Similar oriya poem from Inspirational