STORYMIRROR

Gangotri Priyadarshini

Tragedy Inspirational

4  

Gangotri Priyadarshini

Tragedy Inspirational

ଜୀବନ ଏମିତି ବି ବଦଳିବ

ଜୀବନ ଏମିତି ବି ବଦଳିବ

1 min
346


ଜୀବନ ଏମିତି ବି ବଦଳିବ,

ଅଜଣା ମୋଡରେ 

ସତ୍ୟ ସହ ସାମ୍ନା କରେଇବ

ସବୁଠୁ ଆପଣାର ଲୋକ

ନିଜଠୁ ଦୂରେଇବା ପାଇଁ ଚାହିବେ


ଜୀବନ ଏମିତି ବି ବଦଳିବ,

ଖୁସି ସବୁ ପାଣି ଫୋଟକା ପାଲଟିବ

ଆଖିରୁ ଅଶ୍ରୁର ବନ୍ୟା ବହିବ

ମନରେ ଅବିଶ୍ୱାସର ପାଚେରୀ ଉଠିବ


ଜୀବନ ଏମିତି ବି ବଦଳିବ,

ପବନ ଯେମିତି ରାସ୍ତା ବଦଳେଇ ବହିବ

ଦୁଃଖ ସବୁ କାମୁଡ଼ି ଗୋଡେଇବେ

ଯନ୍ତ୍ରଣା ସବୁ ରୋଗାକ୍ରାନ୍ତ କରିଦେବେ


ଜୀବନ ଏମିତି ବି ବଦଳିବ,

ମନ କଥା ମନରେ ରହିବ

ହସର ବୟସ ବି ମଣିଷ ଭୁଲିଯିବ

ଜୀବନକୁ ତରବର ଭାବେ ସାରିବାକୁ ପଡ଼ିବ


ଜୀବନ ଏମିତି ବି ବଦଳିବ,

ମଳୟ,ଫଗୁଣ,ମୌସୁମୀ ସାତ ପର କରିଦେବେ

ଅସହାୟତାର ଛାପ ମୁହଁରୁ ସ୍ପଷ୍ଟ ବାରି ହେଇ ପଡ଼ିବ

ପ୍ରତି କ୍ଷଣ ମୃତ୍ୟୁର ଜ୍ଵାଳା ଛଟପଟ କରିବ


ଜୀବନ ଏମିତି ବି ବଦଳିବ,

ପ୍ରେମ ଅପାତ୍ରରେ ଦାନ ଦେଲା ଭଳି ଲାଗିବ

କଣ କରିଛ ଜୀବନ ତମାମ ହିସାବ ଦେବାକୁ ହେବ

ସମୟ ଗର୍ବ କରି କହିବ,

ମୁଁ ତୋତେ ନଷ୍ଟ କରି ଦେଇଛି

ସବୁ କିଛି ନିଜ ହିସାବରେ ଛଡେଇ ନେଇଛି


ଜୀବନ ଏମିତି ବି ବଦଳିବ,

ପରିତ୍ୟକ୍ତ ଜୀବନଟି ବୋଝ ଭଳି ଲାଗିବ

ପାଇଲ କଣ, ହାରିଲ କଣ 

ପ୍ରଶ୍ନର ଉତ୍ତର ନିଜକୁ ନିଜେ ଦେଇ ପାରିବନି

ଭାଗଶେଷ ମସ୍ତବଡ ଶୂନ ବାହାରିବ


ଜୀବନ ଏମିତି ବି ବଦଳିବ,

ମରୁ ମରୁ ବଞ୍ଚିବାକୁ ଇଚ୍ଛା ହେବ,

ସବୁ ହାହାକାର ହାସ୍ୟାସ୍ପଦ ଲାଗିବ

ବେସରମା ଭଳି ସବୁ ଭୁଲି ଯିବାକୁ ହେବ

ମୋ ବିନା ସମସ୍ତେ କେମିତି ବଞ୍ଚିବେ ଚିନ୍ତା ହେବ


ଜୀବନ ଏମିତି ବି ବଦଳିବ,

ଆବଶ୍ୟକତାର ଆକାଶରେ ମୋତେ ହିଁ

ଇନ୍ଦ୍ରଧନୁ ସାଜିବାକୁ ପଡ଼ିବ

ଓଠରେ ଧାରେ ହସ ଉକୁଟେଇବା ପାଇଁ ମନ କହିବ

ଜୀବନ ନାଟକରେ ଭଲ ଅଭିନେତା

ସାଜିବାକୁ ପ୍ରାଣ ତତ୍ପର ହେବ


ଜୀବନ ଏମିତି ବି ବଦଳିବ,

ସବୁ ଭୁଲି ଟିକେ ହସି

ଆଖିରୁ ଶୁଖି ଆସିଥିବା ଲୁହ ଧୋଇ

ଜୀବନ ସଙ୍ଗୀତକୁ ସମ୍ପୂର୍ଣ୍ଣ ପରିବେଷଣ କରିବାକୁ ହେବ

ଜୀବନ ତୁମେ ଖୁବ୍ ସୁନ୍ଦର

ମୁଁ ତୁମକୁ ତଥାପି ଭଲପାଏ କହିବାକୁ ହେବ

ଜୀବନ ଏମିତି ବି ବଦଳିବ






  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy