ଜୀବନ ବୃତ୍ତାନ୍ତ
ଜୀବନ ବୃତ୍ତାନ୍ତ


ଜୀବନ ଦିଏ ଯେ ମରଣ ବାରତା
ନିଷ୍ଠୁର ସତ୍ୟ ସେ ମରଣ,
ଉଠାଣି ଆସିଛି ଗଡାଣି ଆସିବ
ବିଧିର ଅଟେ ଯେ ବିଧାନ ।
ଜନମେ ଏ ଭବେ କେତେ ମହୋତ୍ସବେ
ପାଳନ୍ତି ସାରା ଏ ଜଗତ,
ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ
ଆହ୍ଲାଦ ହୁଅନ୍ତି ସମସ୍ତ ।
ଜୀବ "ଘଟ"ପ୍ରାୟେ ଆୟୁ ନୀର ଥାଏ
ଅଲକ୍ଷ୍ୟରେ ସେ ବହିଯାଏ,
ଆୟୁ ସରିଗଲେ ଘଟ ପଡିରହେ
ଆତ୍ମା ପକ୍ଷୀ ଯେ ଉଡିଯାଏ ।
କେତେ ଆପଣାର ତୋଳିଥିଲା ଘର
ବାନ୍ଧି କେତେ ସମ୍ପର୍କ ଡୋର,
ଏଇତ ଜୀବନ ଦେଖାନ୍ତି ସପନ
ମିଛେ କରନ୍ତି ଅଭିନୟ ,
ନୁହଁନ୍ତି ନିଜର ଲାଗେ ଆପଣାର
ବିପଦେ ମିଳେ ପରିଚୟ ।
କାଳ ସରିଗଲା ଅଧୁରି ରହିଲା
ମରଣ ଦିଏନା ଖବର।
ବ୍ରହ୍ମ ଅଟେ ସତ୍ୟ ଜଗତ ଯେ ମିଥ୍ୟା
ମାୟା ରଚିଛି ମାୟାଧର,
ମାୟାକୁ ଚିହ୍ନିଲେ ବ୍ରହ୍ମକୁ ପାଇବୁ,
ମନେ ରଖ ହେ ମାନ୍ୟବର ।