ଜୀବନ ଭାଷାର ବ୍ୟାକରଣ
ଜୀବନ ଭାଷାର ବ୍ୟାକରଣ


ସତ୍ୟ ଶାନ୍ତି ଦୟା କ୍ଷମାର ଆଧାର ସୂତ୍ରରେ
ରଚିତ ହୋଇଛି ଜୀବନ ଭାଷାର ବ୍ୟାକରଣ
ପବିତ୍ର ସଂପର୍କର ମଧୁର ବନ୍ଧନରେ ରହି
ହୃଦୟର ସ୍ବଚ୍ଛ ଭାବକୁ କରାଯାଏ ସୁବିନ୍ୟାସ
ବିଧିର ବିଧାନରେ ପ୍ରବାହିତ ସମୟର ତ୍ରିଧାରା
ବର୍ତ୍ତମାନ ହୁଏ ଅତୀତ...ଲେଖା ହୁଏ ଇତିହାସ
ସେ ଇତିହାସ ସର୍ବଦା ରହେ ଅପରିବର୍ତ୍ତିତ
ଭବିଷ୍ୟତର ସାମ୍ନାକୁ ଆସି ହୁଏ ଉତ୍ତରଦାୟୀ
ଜୀବନ ଭାଷାର ବ୍ୟାକରଣଗତ ହେଲେ ଅଶୁଦ୍ଧି
ନିର୍ମଳ ମନରେ ଟାଣେ କଳଙ୍କର ଅଲିଭା ଦାଗ
ଅଭ୍ୟାସକୁ ବଦଳାଇ ହୁଏ ଦୃଢ଼ ପରିକର ହୋଇ
ମାତ୍ର ଅତୀତ ରଚିଥିବା ଇତିହାସ ବଦଳେ ନାହିଁ
ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ଚରିତ୍ରକୁ କରେ ସଂହାର
ହଜାଇ ଦିଏ ଉଚିତ ଭାବନାକୁ ଚେତନ ଶକ୍ତିରୁ
ମାନସିକ ଦ୍ବନ୍ଦ୍ଵର ଛନ୍
ଦରେ ଦୁଃଖଦ ହୁଏ ପରିଣାମ
ଇତିହାସ ଦେଖି ପାରେ ସ୍ପଷ୍ଟ ...ଶୁଣି ମଧ୍ୟ ପାରେ
ମନ ମନ୍ଥନରୁ ବାହାର କରୁଥାଏ କେବଳ ବିଷ
ଜୀବନ ଭାଷାର ବ୍ୟାକରଣଗତ ଶୁଦ୍ଧ ପ୍ରୟୋଗ
ଜଞ୍ଜାଳର ଜଟିଳତାକୁ କରେ ସହଜ ସରଳ
ଭାବ ବିନିମୟରେ ଆସି ନ ଥାଏ କିଛି ସଂଶୟ
ନିଷ୍କପଟ ହୃଦୟରେ ମର୍ତ୍ତ୍ୟକୁ କରିହୁଏ ସ୍ଵର୍ଗ
ଏକତାର ମନ୍ତ୍ରରେ ଏକ କୁଟୁମ୍ବ ହୁଏ ସାରା ବିଶ୍ଵ
ହାତର ଆଙ୍ଗୁଳି ଟାଣିଲେ ପାପୁଲି ହୁଏନା ବଡ଼
ସବୁ ମୁଠାଇବାର ତୁଚ୍ଛ କାମନା ହୁଏ ବ୍ୟର୍ଥ
ଜୀବନ ଯେତିକି ସେତିକି ହୋଇଥାଏ ବିସ୍ତୃତ
ପ୍ରଶ୍ଵାସରେ ବାୟୁ ତୃଷାରେ ଜଳ କ୍ଷୁଧାରେ ଖାଦ୍ୟ
ଯଦି ଆବଶ୍ୟକତା ଠାରୁ ଅଧିକ ହୁଏନା ନେଇ
ତେବେ କ'ଣ ପାଇଁ ଅଧିକ ଆବରିବା ଭ୍ରମରେ
ସବୁ ବୁଝାଇ ଥାଏ ଜୀବନ ଭାଷାର ବ୍ୟାକରଣ।