ଝରଣା
ଝରଣା
ଝରୁଥାଏ ପୟ ଧାର ଧାର,
ଗଢ଼ିଛି କୋଉ ଈଶ୍ୱର ତତେ;
ଗିରିବର କୋଳେ ଲୁଚକାଳି ଖେଳି,
ବହିଯାଉ ତୁ ଲୋଚନର ଅଗୋଚରେ ।
ସରାଗରେ ବହିଯାଉ ଅବନୀ ଦେହେ,
ନୀଳ ସୁନ୍ଦର ପୟସ୍ୱିନୀ ହୋଇ,
ମନ୍ଥର ସମୀର ବହେ ଏକାଗ୍ରତେ,
ଆଖି ସରସେ ବିହଙ୍ଗ ଦଳେ ।
ମୀନ, ସରୀସୃପ ଖେଳନ୍ତି ସରାଗେ,
କୁସୁମ, ପାଦପ ବଢ଼ନ୍ତି ତୋ କୂଳେ,
ବାନର ଝୁଲଇ ପାଦପ ଡ଼ାଲେ,
ହସ୍ତୀ, କେଶରୀ ବୁଲନ୍ତି ବେଳେବେଳେ ।
ସୂର୍ଯ୍ୟ ଚନ୍ଦ୍ର ତଟିନୀ ଦେହେ
ଖେଳନ୍ତି ଦିନ ରାତି ଆନନ୍ଦରେ,
ବାରିର କୁଳୁକୁଳୁ ନାଦ ଆଗେ,
ବଂଶୀର ମଧୁର ମୁର୍ଚନା ଫିକାଲାଗେ ।
ସଂସାରର ବିଚିତ୍ର ଖେଳ ଇଏ,
ଝରଣାରୁ ହୋଇ ସ୍ରୋତସ୍ୱିନୀ ଟିଏ,
ବହିଚାଲେ ସରାଗେ ଧରଣୀ ବକ୍ଷରେ,
ଅଂତରେ ରତ୍ନାକର ସାଥେ ମିଶେ ।