ଝରିଯା' ଟିକେ
ଝରିଯା' ଟିକେ
ମେଘରେ ମେଘ, ଝରିଯା' ଟିକେ
ଟୁପୁରୁ ଟାପୁରୁ ହୋଇ,
ବିଲରେ ତା'ର ହଳ କରିବ
ଚାହିଁଛି ଚାଷୀଭାଇ ।
ମନ ଖୁସିରେ ଜମିରେ ସେ ତ
ବିହନ ଦେବ ବୁଣି,
କରିବ ନାନାଜାତି ଫସଲ
ଉଚ୍ଚ ମାନର ଆଣି ।
ଉପୁଜାଇବ ନାନା କିସମ
ପନିପରିବା, ଶସ୍ୟ,
ପରିଶ୍ରମର ମୂଲ ପାଇବ
ଝରିବ ଓଠୁ ହସ ।
ଠିକଣା ବେଳେ ବର୍ଷିଲେ ତୁହି
ମନ ତା' କୁଣ୍ଢେମୋଟ,
ହୋଇବ ନିଶ୍ଚେ-ଶସ୍ଯ, ପରିବା
ବିକି ଭୁଲିବ କଷ୍ଟ ।
ଅନ୍ୟ ଲୋକଙ୍କ ତୁଣ୍ଡକୁ ଦେବ
ଯୋଗାଇ ସେ ଆହାର,
ଝରିଯା' ଟିକେ ଝରିଯା' ମେଘ
ହସ ଝରୁ ତାହାର ।
ଏମିତିରେ ତ ଝରିଝରିକା
କରୁ ଦୁନିଆ ହିତ,
ସକଳ ଜୀଵଜଗତର ଯେ
ଅଟୁ ତୁ ପରା ମିତ ।
