ଜହ୍ନର ଠିକଣା
ଜହ୍ନର ଠିକଣା
ଫୁଲେଇ ମେଘକୁ
ପଚାରିଲି ଯେବେ
ଜହ୍ନର ଠିକଣା
ମୁଁହ ମୋଡି ଗଲାଚାଲି ଚାଲି,
କେମିତି କହନ୍ତା
ଛଳନାରେ ବାନ୍ଧେ
କାନି ପଣତରେ
ହେବ ତା ପ୍ରେୟସୀ ବୋଲି ।
ନଦୀକୁ କହିଲି
ଦେଖିଚୁ କି କହ
ଅଭିମାନ କରି
ମୋ ଜହ୍ନ ଲୁଚିଛି କାହିଁ,
କେମିତି କହନ୍ତା
ସିଏ ତ ଜଳୁଛି
ଜହ୍ନ ଅନୁରାଗେ
ଥରୁଟିଏ ଥିଲା ଚାହିଁ ।
ପବନକୁ ଯେବେ
ପଚାରି ଦେଲି ମୁଁ
ମୋ ଜହ୍ନ ଠିକଣା
ନିରୁତ୍ତର ଥିଲା ସିଏ
କେମିତି କହନ୍ତା
ଜୋଛନାରେ ତାର
ହେବାକୁ ବିଲୀନ
ସ୍ବପ୍ନ ଦେଖେ ନିତି ଯିଏ ।
ଫୁଲକୁ ମାଗିଲି
ମୋ ଜହ୍ନ ଠିକଣା
ମୁରୁକି ହସି ସେ
ଲାଜରେ ପୋତିଲା ମୁଁହ
କେମିତି କହନ୍ତା
ପୂର୍ଣ୍ଣମୀ ରାତିରେ
ଦେଖି ଦେଲା ପରେ
ହୃଦୟେ ଭରିଛି ମୋହ ।
ଭାରି ଅଭିମାନୀ
ଫୁଲେଇ ଜହ୍ନଟା
ରୁଷି ଗଲେ ଥରେ
ଲୁଚେ କାହିଁ ଦୂରେ ଯାଇ,
ଲେଖୁଥିବ ବସି
ବିରହ ଗୀତିକା
ମୋ ପାଇଁ କବିତା
ତାରାଙ୍କ ମେଳରେ ଥାଇ ।
ଏକଥା ତ ସତ
ଯେଉଁଠି ଥିଲେ ବି
ସିଏ ଆପଣାର
ହୃଦୟରେ ତାର ଘର
ମେଘ, ନଦୀ, ଫୁଲ
ପବନ ପ୍ରଣୟେ
ଯାଉ ପଛେ ଭିଜି
ସିଏ ପ୍ରିୟତମ ମୋର ।