ଜହ୍ନ
ଜହ୍ନ
ଜହ୍ନ ଯେବେ ଆସେ ଆକାଶରେ ଉଇଁ
ଚଉଦିଗ ତୋଫା ଦିଶେ
ହସେ ବାଟଘାଟ ହସେ ନଈତୁଠ
ଦୂର ତାଳବଣ ହସେ ।
କୋଟିକୋଟି ତାରା ଆକାଶରେ ଭରା
ତମସା ପାରେନି ନାଶି
ଗୋଟିଏ ଜହ୍ନର ଆଲୁଅ ପରଶେ
ସୁନ୍ଦର ଦିଶଇ ନିଶି ।
ପୃଥିବୀ ଘୂରୁଛି ସୂର୍ଯ୍ୟ ଚାରିପଟେ
ସେଥିପାଇଁ ରାତି ଦିନ
ପୃଥିବୀର ଚାରି ପାଖରେ ନିଇତି
ଘୂରୁଅଛି ଏଇ ଜହ୍ନ ।
ସୂରୁଯ ଆଲୁଅ ଜହ୍ନରେ ତ ପଡି
ଝରଇ ଯୋଛନା ହୋଇ
ଖରା ଲାଗେ ସିନା ଦେହକୁ ଉଷୁମ
ଯୋଛନା ଶୀତଳ ଛାଇ ।
ଜହ୍ନ ରାତିରେ ତ ଭାରି ଭଲଲାଗେ
ଆମ ଗାଁ ବଣ ବିଲ
ଟୁଭି ପୋଖରୀରେ ଖିଲିଖିଲି ହସେ
ମନଲୋଭା କଇଁ ଫୁଲ ।
ପୁରାଣରେ ଲେଖା ଲକ୍ଷ୍ମୀଙ୍କ ସାଥିରେ
ଜହ୍ନ ତ ସାଗରୁ ଜାତ
ମାଆଙ୍କର ଭାଇ ହୋଇଥିବାରୁ ସେ
ଜହ୍ନମାମୁଁ ବୋଲି କ୍ଷାତ ।
ଅଝଟ ଛୁଆକୁ ବୁଝାଇବା ପାଇଁ
ମାଆ ଡାକେ ହସିହସି
ଆ ଜହ୍ନମାମୁଁ ସରଗ ଶଶୀରେ
କୁନା ହାତେ ପଡ ଖସି ।