STORYMIRROR

Dr. Shiba Prasad Tripathy

Tragedy

5.0  

Dr. Shiba Prasad Tripathy

Tragedy

ଝିଟିପିଟି ସତ କହିଥିଲା

ଝିଟିପିଟି ସତ କହିଥିଲା

1 min
14.1K


ଝିଟିପିଟି ସତ କହିଥିଲା

ଯାହା ପୂର୍ବ ଘଟଣା ସହ-

ଆଉକିଛି ଦୁର୍ଘଟଣା ଘଟିବ ବୋଲି

ହୁଏତ ଆଗରୁ ଜାଣି ସାରିଥିଲା ।।

ସେଦିନ ଆକାଶ ପର୍ଚ୍ଚ୍ଛା ନଥିଲା କି

ମାଟିତଳ ଓଦା ବି' ନଥିଲା

ଲଂଗଳା ନଈଟିଏ ଚିତ୍-ମାରି ଯାହା

ବାଲିରେ ପଡି ରହିଥିଲା ।।

ସବୁକିଛି ଠିକ୍ ତ ନଥିଲା ସେଦିନ

ଗ୍ରହଣ କାଳ ଗଡି ବି ନଥିଲା

ତୁଣ୍ଡ ବାଇଦ ଶହସ୍ର କୋଶ ଡେଇଁବା ଆଗରୁ

ଚନ୍ଦ୍ରରେ କଳଙ୍କ ଲାଗି ସାରିଥିଲା

ଯାହା ମୁଖ ଦର୍ପଣରୁ ସ୍ପଷ୍ଟ ଭାରି ହେଉଥିଲା ।।

ଏକଥା କାହାକୁ ଅ-ଗୋଚର ନଥିଲେ ବି

ଗୋଚରାର୍ଥେ କାହାକୁ ଜଣା ଯାଇ ନଥିଲା

ସର୍ବାଙ୍ଗ ଦେହଟାକୁ ଝୁଣି ଝୁଣି

ରାହୁ ଗ୍ରାସ କରି ସାରିଥିଲା

ପୁଂଗୁଳା ଦେହଟା ଖାଲି

କୋରଡରୁ ଆଗକୁ ଝୁଙ୍କି ରହିଥିଲା ।।

ଆଖି ଦୁଇଟିତ ନଥିଲା

ଶାଗୁଣା କେତେ ବେଳରୁ ଝାମ୍ପି ନେଇଥିଲା

ଆଉ ବିଲୁଆ !

ସାମ୍ନାରେ ବସି ବାଃ ବାଃ ନେଉଥିଲା ।।

ଝିଟିପିଟି ସେତିକିରେ ଚୁପ୍ ତ ନଥିଲା

କଥା ଯାଇ ଦାଣ୍ଡରେ ଗଡି

ହାଟରେ ପଡିଲା

ସହର ସାରା ଚର୍ଚ୍ଚା ସେଦିନ ଯୋର୍ ଧରିଥିଲା

ଖବର କାଗଜ ବି ସେଥିରୁ ବାଦ୍ ପଡି ନଥିଲା ।।

ଇତିହାସ ପାଖରେତ ନଥିଲା

ଭୂଗୋଳର ଚିତ୍ରପଟ୍ଟ ଯାହାଖାଲି

ଜଳ-ଜଳ ଦିଶୁଥିଲା

ତୁମକୁ ମିଛ- ମତେ ସତ ଲାଗିଥିଲା

ବାଡୁଅ ଝିଅଟା ଗଲା ଯେ ଗଲା

ଘରକୁ ଆଉ ଫେରି ତ ନଥିଲା

ମଶାଣି ଭୂଇଁରେ ଫୁଲଟିଏ ହେଇ

ସେଦିନ ଯାହା ଫୁଟି ଥିଲା

ଝିଟିପିଟି ସତ କହିଥିଲା ।।

*** *** ***


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy