STORYMIRROR

Dr. Shiba Prasad Tripathy

Others

4.4  

Dr. Shiba Prasad Tripathy

Others

କ୍ରମଶଃ ଶୀତ ଏବେ

କ୍ରମଶଃ ଶୀତ ଏବେ

1 min
796


ଶୀତ ଆସିଛି ଏବେ

କଡ ଲେଉଟାଇ

ନାଁ-ଗାଁ-ଠିକଣା ହଜାଇ

ରାସ୍ତା କଡା ଗମ୍ବୁଜକୁ ଡେଇଁ

ବୃତ୍ତାକାର ବଳୟର

ନିଃସଙ୍ଗ ବେଳରେ

ବସିଥିବା କେଉଁଏକ ରୂପସୀର

ମୁକୁଳା କେଶରେ

ଝରୁଥିବା ଆଖି ଲୁହ

ଥପ୍-ଥପ୍

ଦୋକାନର ଚଟାଣ ଉପରେ

ନିଜଠାରୁ ବେଶ୍ କିଛି

ଅନତି ଦୂରରେ ।।

ଶୀତ ଆସିଛି ଏବେ

ଛାତିଏ ରାତିରେ

ଆକାଶର ଛାତି ଚିରି

ଦିଗନ୍ତ ବିସ୍ତାରି

ମେଦ-ମାଂସ-ରକ୍ତ-ହାଡ

ସବୁକୁ ଭେଦ କରି

ପାଦ ଆଉ ପାହୁଂଡର

ଦୂରତା ମଧ୍ୟରେ

ଆଂଜୁଳା ଆଂଜୁଳା ଦୁଃଖ ଭରି

ସଞ୍ଚାରିତ ହେଉଥିବା

ଦେହ-ମନ

ଘନ କୁହୁଡ଼ିକୁ ଆଦରି ।।

ଝାପ୍ସା ଝାପ୍ସା ଦିଶୁଥିଲା

ଏତେସବୁ ....

କଅଁଳ ଶିଶୁର

ହୁଗୁଳା ମନରେ

ଉଷ୍ଣତା ଖୋଜୁଥିବା

ମାଁ'ର କସ୍ତାଲୁଗା ଚିରା ପଣତରେ

ପ୍ରତି ମୁହୁର୍ତ୍ତରେ

ଜୀବନର ରଂଗକୁ ଖୋଜିବାର

ଆଶା ଓ ପ୍ରତ୍ଯାଶା ସାଥିରେ

କୁହୁଡ଼ି ଭାଂଗିବା ପ୍ରୟାସରେ

ସତକୁ ସତ

ଶତ ପ୍ରତିଶତ

ପ୍ରତିଟି ବିଶ୍ବାସରେ

ପ୍ରତିଟି ନିଶ୍ବାସରେ

ପ୍ରତିହତ ହେଉଥିଲା ଶୀତ

ଦୂରରୁ ଶୁଭିଲା

ଜୀବନ ସଂଗୀତ

ଉଠ ସତୀ ରାତି ପାହିଲା

ଆକାଶ ପର୍ଚ୍ଚା ହେଲା

ଅରୁଣ ସ୍ତମ୍ଭ ଆଗକୁ ଦିଶିଲା !!!

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in