STORYMIRROR

Kailash Chandra Sahani

Abstract

3  

Kailash Chandra Sahani

Abstract

!! ଝିଅଟିଏ ଅଛି ବୋଲି ତ... !!

!! ଝିଅଟିଏ ଅଛି ବୋଲି ତ... !!

1 min
294

ଝିଅଟିଏ ଅଛି ବୋଲିତ

ମୋ ସ୍ବପ୍ନ ହଜେ ନିଦ ଭାଙ୍ଗେ

ରାତିର ଛାତିରେ ,

ଝିଅଟିଏ ଅଛି ବୋଲିତ

ଚନ୍ଦ୍ରର କଳଙ୍କ କୁ କାଖେଇ ବୋକଦିଏ ,

ନଈ ତଳ ଖରିବଣ ଖସ୍ ଖସ୍ ହେଲେ

ମୋ ଛାତିରୁ ଅତଡା ଖସେ

ମୁଁ ଦେଖିପାରେ କେଉଁ ଦୂର ପାହାଡ କୋଳରେ

କୁରେଇ ଫୁଲରେ ରକ୍ତର ଛିଟା


ଝିଅ ଟିଏ ଅଛି ବୋଲି ତ

ମୋ ଦୀନ ଜୀବନରେ ବାରମାସେ ତେରପର୍ବ

ମୋ ମାଟି ଅଗଣାରେ ମାଣବସା ଗୁରୁବାର ଚିତା,

ଝିଅଟିଏ ଅଛି ବୋଲିତ

 ସଞ୍ଜ ସକାଳେ ମହମହ ବାସୁଥାଏ ଘିଅର ସଳିତା

କେବେ ଶୁଭେ ଗୀତାର ମଧୁର ମୂର୍ଚ୍ଛନା

କେବେ ମାଟିର କବିତା


 ଝିଅ ପାଇଁ ଯେତେ ଯାହା କଟକଣା

 ପୋଛିଦେଲି ହାତ ପାପୁଲିରେ

ଉଡାଇ ଦେଲି ପରୀଟିଏ କରି କେଉଁ

ଜହ୍ନ ରାଇଜରେ ,

ଫୁଲ ପରି ଫୁଟିବାକୁ ମହକିବାକୁ

ସଚରାଚର ଏ ମାଟି ବୈକୁଣ୍ଠରେ

ପ୍ରଜାପତି ଡେଣାରେ ଉଡିବାର ଇଛାକୁ ତା'ର

ଉନ୍ମୁକ୍ତ କଲି

ଖୋଲି ଦେଲି ମନର ପଞ୍ଜୁରୀ

ନିଜ ହାତରେ ନିଜେ ଚଉଦ ପା'

ହେବାର ଭ୍ରମରେ 

ନିଜକୁ ପାଷାଣ କଲି


ଏବେ କିଆଁ ପବନରେ ଭାସିଆସେ

କାହାର କଇଁ କଇଁ ସ୍ବର

ପୋଡା ଦେହର ଗନ୍ଧ,

ଏବେ କିଆଁ ସ୍ବପ୍ନ ସବୁ ଦୁଃସ୍ବପ୍ନର

ଘନ ଅନ୍ଧକାରେ

ଝିଅଟିଏ ଅଛି ବୋଲି ତ

କାହା ଛାଇ ଦେଖି

ଚମକୁ ଥାଏ ବାରଂବାର

ଆଶଙ୍କାର ଭୂତକୁ ସବାର କରି

ଆଶାର ନହକା ଡାଳରେ


ଝିଅ ଟିଏ ଅଛି ବୋଲି ତ

ଅମାନିଆ ଲୁହ ମାନଙ୍କୁ

ଆଖିର ଫରୁଆରେ ରଖି ଦେଇଛି ,

ଅସହାୟ ଭୟ ମାନଙ୍କୁ

ମନର ସିନ୍ଦୁକରେ ତାଲା ଦେଇଚି

ଝିଅ ଟିଏ ଅଛି ବୋଲିତ

ସକାଳର ପକ୍ଷୀକୁ

ସଞ୍ଜରେ ଫେରିବା ବାଟକୁ ଚାହିଁ ରହିଚି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract