ଝିଅଙ୍କୁ କରନା ଛି ଛି
ଝିଅଙ୍କୁ କରନା ଛି ଛି
ପୁଅଟି ମୋହର ବହୁଆଡମ୍ବରେ
ବିବାହ କରିଲା ଦିନେ
ଖୁସିରେ ସଂସାର ଚାଲୁଥିଲା ତାର
ହସୁଥିଲା ମନେ ମନେ ।(୧)
ବରଷେ ପୁରିନି ପତ୍ନୀ ଚାଲିଗଲା
ଦେଇଗଲା ଝିଅ ହସ୍ତେ
ପୁଅଟି ମୋହର ଝିଅ ମୁଖ ଦେଖି
ଦୁଖ ତ କଲାସେ କେତେ ।(୨)
ଏମିତିକା ଝିଅ ଜନମ ଯେ ହେଲା
ହାରିଲା ସକଳ ସୁଖ
ଧରାକୁ ଆସିଲା ମା' କୁ ସେ ଖାଇଲା
ଦେଲା ମନେ ବହୁ ଦୁଃଖ ।(୩)
ରାଗରେ ରାଗରେ କେତେ ଯେ ବର୍ଷିଲା
ଶୁଣିଲାନି କାହା କଥା
କୋମଳ ଶିଶୁଟି ଭୂମିରେ ଶୋଇକି
ଖୋଜୁଥାଏ ସ୍ନେହ ଶ୍ରଦ୍ଧା ।(୪)
ଚାରି,ପାଞ୍ଚ ବର୍ଷ ବିତି ଗଲା ପରେ
ଝିଅଟି ବିଦ୍ୟର୍ଥୀ ହେଲା
ବାପାତାର କିନ୍ତୁ ସବୁବେଳେ ପାଇଁ
ନିଜ କର୍ମେ ଲିପ୍ତ ହେଲା ।(୫)
ସଦା ସର୍ବଦା ସେ ଝିଅକୁ କହିଲା
ଯାହାତୁ ମାଗିବୁ ଦେବି
ମୋ ପାଖରେ କିନ୍ତୁ ସମୟ ନାହିଁରେ
ମୁଁ ତ ଗୋଟେ କର୍ମଜୀବୀ ।(୬)
ଝିଅଟି ତାହାର ସ୍କୁଲ୍ ଗଲା ବେଳେ
ଖୋଜୁଥାଏ ବାପା ସ୍ନେହ
ବାପାତାର କିନ୍ତୁ ଶୋଇ ରହିଥାଇ
ଦେଖୁଥାଏ ସ୍ୱପ୍ନ ଭିନ୍ନ(୭)।
ଯେତେ ବୁଝାଇଲୁ ବୁଝିଲାନି ଜମା
କ୍ରୋଧରେ ଜଳିଲା ନିତି
ଝିଅଟି ତାହାର ମୁହଁକୁ ଫୁଲେଇ
କାନ୍ଦୁଥାଏ ଦିନ ରାତି ।(୮)
ଦିନେ ଝିଅ କାନ୍ଦି ବାପକୁ ଖୋଜିଲା
ବାପା ତା ନଥିଲା ଘରେ
ନଖାଇ ନପିଇ ଚାହିଁ ରହିଲା ସେ
ବାପା ତାର ଫେରିବାର ।(୯)
ଦିନେ ଝିଅ ପଚାରିଲା ବାପା ତୁମେ
ଘରେ କାହିଁ ରୁହ ନାହିଁ
ବାପା କି ଉତ୍ତର ଦେବ ଝିଅ ପାଶେ
ମିଛକୁ ଖୋଜିଲେ ତହିଁ ।(୧୦)
ଠିକ୍ ସାତ ବର୍ଷ ବିତି ଗଲା ପରେ
ଝିଅ ବୋଲିଲା ବାପାକୁ
କେତେ ତମେ କୁହ ପାଉଛ ଦରମା
ମାସକୁୁ ଗୋଟେ ଦିନକୁ ।(୧୧)
ବାପା ମୁଖ ଚାହିଁ ପଚାରିଲେ ପ୍ରଶ୍ନ
କହିଲେ ହୋଇଛି କଣ ?
ଝିଅ କାନ୍ଦି କାନ୍ଦି କହିଲା ବାପା ହେ
ଆଜିପା ମୋ ଜନ୍ମ ଦିନ ।(୧୨)
ଝିଅଟି ଆଣିଲା ସଂଚୟ ଅର୍ଥକୁ
ବାପା ଆଗେ ଦେଲା ପିଟି
କହିଲା ବାପା ହେ ଦିନକ ଦରମା
ନେଇଯା ଏଥିରୁ ଗୋଟି ।୧୩)
ଟଙ୍କା ମୁଁ ଦେଉଛି ମୋ ପାଖେ ରହିବ
ଜୀବନାହିଁ ବାହାରକୁ
ତମ ସାଥେ ଆଜି ଢେର୍ ମୁଁ ଗପିବି
ଦେଖିବି ମା'ର ମୁଖକୁ ।(୧୪)
ବାପା କାନ୍ଦି କାନ୍ଦି ଝିଅକୁ ଧରିଲେ
କୋଳେଇ ନେଲେ କୋଳରେ
ଯେତେ ସବୁ କ୍ଷୋଭ ଥିଲା ତାଙ୍କ ମନେ
ହଟି ଗଲା ଧୀରେ ଧୀରେ ।(୧୫)
ହସି ହସାଇଲେ ଦୁନିଆଁ ବାସୀଙ୍କୁ
ବାପ ,ଝିଅ ଦୁହିଁ ଯାକ
ସବୁଦିନ ପାଇଁ ଖୁସିରେ ରହିଲେ
ହଟିଲା ଜୀବନୁ ଦୁଃଖ ।(୧୬)
ବାପା ପାଇଁ ଝିଅ ପାଗଳ ହୋଇଲା
ରଚିଲା ନୂଆ ସମ୍ପର୍କ
ଝିଅ ହେଲା ପରେ ଘୃଣା କରନ୍ତୁନି
ତୁମର ସେ ନିର୍ଦ୍ଦେଶକ ।(୧୭)
କହିବାର କ୍ଷମତା ନଥିଲା ମୋ ଠାରେ
ଦେଖୁଥିଲି ଖାଲି ମୁହିଁ
କିଅବା କରିବି କୁହ ଆହେ ବନ୍ଧୁ
ପାଦଟି ମୋହର ନାହିଁ ।(୧୮)
