ଝଡ଼ଝଞ୍ଜା
ଝଡ଼ଝଞ୍ଜା
ରହ ଟିକେ ଭାଇ ରହ ଥମିଯାଇ
ରହ ଦଣ୍ଡେ ଏଠି ବସ
ଗଲେଣି ତ ଥକି ତଳେ ଭାର ରଖି
ଛାଇକି ଘଡିଏ ପଶ ।
କିପାଇଁ ଭାଳିବ ଚାଲିଛି ଚାଲିବ
ଏମିତି ଆସିବା ଯିବା
ବହିଲେ ବତାସ ନହୋଇ ହତାଶ
ଆଶ୍ରା ନେଇ ରହିଥିବା ।
ଜୀବନର ପଥ ସରିବନି ସତ
ଜୀବନ ରହିବା ଯାଏଁ
ନୋହି ତରବର ଥୟ ଟିକେ ଧର
ଶ୍ରାନ୍ତି ହଟିଯିବ ଛାଏଁ ।
ବଳୟ ଆକାର ପଥେ କି ସାକାର
ହେବ କି ଆମର ଯାତ୍ରା
ହେବନାହିଁ ଶେଷ ବିଶ୍ରାମେ ତ ଲେଶ
ହୋଇଯିବ କ୍ଳେଶ ମାତ୍ରା ।
ଯେତେ ଯାକ ବେଠି ଖଟୁଥିଲେ ଏଠି
ଫଳ କି ଭୋଗିବା ଏକା
ପୁଣି ଗଲେ ଫେରିଛନ୍ତି ଯେତେ ଘେରି
ନ ପାଇବା ତାଙ୍କ ଦେଖା ।
ଦେଖ ଏହି ପାଶେ କି ସୁନ୍ଦର ବାସେ
ଫୁଟିଛି ଅନେକ ଫୁଲ
ଅଛି ସରୋବର କମଳ ପୁଷ୍କର
ବିଭୋର ଅଳିପ କୁଳ ।
କେତେ ଜାତି ପକ୍ଷୀ ମନ ଖୁସି ରଖି
କରୁଛନ୍ତି କଳରବ
ଚତୁଷ୍ପଦ କେହି ଜିହ୍ବାରେ ତା ଲେହି
ପାଣି କରେ ଚବଚବ ।
ଭାରି ମନୋହର କହ କି ତୋହର
ହରଷ ନହୁଏ ଚିତ୍ତ
ଦଣ୍ଡେ ଏଠି ବୁଲି ମନୁ ଯାଆ ଭୁଲି
ଘର ପରିବାର ବିତ୍ତ ।
ମନ ମୁଗ୍ଧ କରି ଆସବାବ ଧରି
ଫେରିଯିବା ପୁଣି ଘରେ
କର୍ମମୟ ଆମ ଜୀବନେ ତ କାମ
ଏ ସୁଖ ନଥିବ ପରେ ।
ଏଡ଼େ ମନଲୋଭା ପ୍ରକୃତିର ଶୋଭା
କାହା ଲାଗି କହ ଖଞ୍ଜା
ଜୀବନ ତ ନୁହେଁ ଜଞ୍ଜାଳର ଲୁହେ
ଭରା ଦୁଃଖ ଝଡ଼ଝଞ୍ଜା ।
ପ୍ରସନ୍ନ କୁମାର ମାଦଳା