STORYMIRROR

Kali Kumar

Action Thriller

3  

Kali Kumar

Action Thriller

ଝଡ଼

ଝଡ଼

1 min
218

ଘୁଉଁ ଘୁଉଁ ଗର୍ଜନେ ମାଡ଼ି ସେ ଆସୁଛି

ପୂର୍ବଠୁ ଅଧିକ ଶକ୍ତି ସଂଗ୍ରହ କରି 

ଅଧିକ ସଶସ୍ତ୍ର ଏବଂ ତୀବ୍ର ହୋଇ 

ଜନବସତି ମୁହାଁ, ଅତୀବ କ୍ରୁର ହୋଇ

କ୍ଷୁଦ୍ଧାର୍ତ୍ତ ବିକଟାଳ ରାକ୍ଷସର ପାଟିକୁ ନେଇ

ଘୁଉଁ ଘୁଉଁ ଗର୍ଜନେ ମାଡ଼ି ସେ ଆସଇ  ।୧।

କେଉଁଠି ସଂଗୋପନେ ଆଶ୍ରୟ ନେଇ ସେ ଥିଲା

ନିମିଷକେ କୂଳେ ଆସି ମୁଣ୍ଡ ପିଟି ଦେଲା  

ସନ୍ତର୍ପଣେ ସାଗର ବକ୍ଷେ ଲୁଚି ଯେ ଥିଲା

କ୍ଷଣେ କ୍ଷଣେ ଭୀମକାନ୍ତ ଅବତାର ସେ ନେଲା ।୨।

ନଦୀ,ଝରଣା,ସମୁଦ୍ର,ପାହାଡ଼ ଡେଇଁ

କାହିଁ କେତେ ଦୂରୁ ସେ ଆସୁଅଛି ଧାଇଁ 

ଅନିଶ୍ଚିତତା-ଆକସ୍ମିକତାକୁ ସାଥିରେ ନେଇ

ଅନନ୍ତ କାଳର ଅପୂର୍ଣ୍ଣ କ୍ଷୁଦ୍ଧା ଶାନ୍ତ କରିବା ପାଇଁ

କାହିଁ କେତେ ଦୂରୁ ସେ ଆସୁଅଛି ଧାଇଁ। ।୩।

ବଳିଷ୍ଠ-କନିଷ୍ଠ-ଜ୍ୟେଷ୍ଠ ବୃକ୍ଷରାଜି-

ହେଉ ଅବା ଛୋଟ ଗୁଳ୍ମ - ଲତା

ଶରଣ ଯାଆନ୍ତି ତା' ପାଦେ ନୁଆଁଇ ମଥା,

ଅଟ୍ଟାଳିକା,କୋଠାବାଡ଼ି କିମ୍ବା ନୁଆଁଣିଆ ଛପର

ତା' ଆଗେ ମୁହୂର୍ତ୍ତେ ସବୁ ଚୁର୍ ମାର। ।୪।

ବିସ୍ତୀର୍ଣ୍ଣ ସବୁଜ ବନାନି କ୍ଷଣେ ଧରାଶାୟୀ ଯେ ହୁଏ

କେତେ ସ୍ୱପ୍ନ- କେତେ ଆଶା ସାଥିରେ ଶୁଏ

ଇତସ୍ତତଃ-ବିକ୍ଷିପ୍ତ-ବିପର୍ଯ୍ୟସ୍ତ ଝଡ଼ର ନଗ୍ନ ଲୀଳା

ଭାଙ୍ଗି ଦେଇଯାଏ ସଭ୍ୟତାର ନୂତନ ଶୃଙ୍ଖଳା ।୫।

ଆଗନ୍ତୁକ ସାଜି ସିଏ ବିପର୍ଯ୍ୟୟ ଲୀଳାକୁ ରଚେ

ଭୟାବହ ଗର୍ଜନେ ଧରା ଥର ଥରରେ କମ୍ପେ

ଘୁର୍ଣ୍ଣନ ପବନେ ସ୍ୱପ୍ନ ଯେତେ, ଚୂର୍ଣ୍ଣଭୂତ ଯେ ହୁଏ 

ଧ୍ୱଂସାବଶେଷ ତାଣ୍ଡବର ଚିହ୍ନ ଛାଡ଼ି ଯାଏ ।୬।

ପଳାୟନ ପନ୍ଥୀ ସିଏ, କଳେ-ବଳେ-କୌଶଳେ

ନିଜ ରାସ୍ତା ନିଜେ ନିର୍ଦ୍ଧାରଣ କରେ

ସୁପ୍ତ ସଂଜ୍ଞାହୀନ ରଜନୀର ନିସ୍ତବ୍ଧତା ଆଢୁଆଳେ 

କେଉଁ ଆଜଣା ରାଇଜେ ଯାଇ ସେ ଆତ୍ମଗୋପନ କରେ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action