ଶିଶିର ବିନ୍ଦୁ
ଶିଶିର ବିନ୍ଦୁ
ହିମେ କାର୍ତ୍ତିକ ମାର୍ଗଶିର
ପରିବେଶ ଲାଗେ ସ୍ଵଚ୍ଛ ସୁନ୍ଦର
ପ୍ରକୃତି ହୁଏ ମନୋରମ
ନେତ୍ରେ ଦିଶେ ରମ୍ୟ ଅନୁପମ
ହସି ଉଠେ ଧରଣୀରାଣୀ
ଅନୁଭବ ହୁଏ ଅବତରୀ ଆସିଛନ୍ତି
ମର୍ତ୍ତ୍ଵ ଭୁବନେ ସ୍ଵୟଂ ଲକ୍ଷ୍ମୀ ଠାକୁରାଣୀ
ମୁଣ୍ଡ ନୁଆଇଁ ପାଚି ଆସେ ଧାନ
କ୍ଷେତ ସବୁ ଦିଶେ ସୁନେଲି ବର୍ଣ୍ଣ
କିଆରିରେ ସୋରିଷ ଫୁଲର ହସ
ମନକୁ କରେ ହରଷ ସୁନ୍ଦର ସରସ
ସୁଲୁ ସୁଲୁ ଶୀତଳ ପବନ
ଶୀତ ସିହରଣେ ଉଲ୍ଲସିତ ହୁଏ ପ୍ରାଣ
କଅଁଳ ଖରାରେ ଉଷୁମ ତେଜେ
ଭାବମୟ ହୁଏ ସାରା ଦିବସ
ନଇଁ ଆସିଲେ ସଞ୍ଜ କ୍ଳାନ୍ତ ଦେହ ଉଦାସ
ବିଶ୍ରାମ ନିଏ ସପନର ଶେଜେ
ଉଇଁ ଆସେ ଫୁଲେଇ ଜହ୍ନ
ପ୍ରାଣପ୍ରିୟା ପରି ସରାଗେ ହସି ହସି
ଢାଳି ଦିଏ ତା ଅନୁରାଗ
ଚୁନା ଚୁନା ଜୋଛନା ପଡ଼ଇ ଖସି
ପାଇ ତାର କୋମଳ ଶୀତଳ ପରଶ
ଉଜାଗର ରୁହନ୍ତି ଗଛର ପତର ଘାସ
ଭାବାବେଗର ସ୍ଵପ୍ନ ବିଳାସେ
ରିକ୍ତ ତନୁ ସିକ୍ତ ହୁଏ ମଧୁ ରସେ
ସେ ଶିଶିର ବିନ୍ଦୁ ବୁଣିଦିଏ ଇନ୍ଦୁ
ଘନ ରଜନୀ ସାଥେ ସଜନୀ
ଲାଗନ୍ତି ସ୍ଥଳଦେଶେ ଅବା ସପ୍ତସିନ୍ଧୁ
ଟପଟପ କାକର ପଡ଼େ ଝରି
ନିଦ ଅଳସେ ସପନ ଆସେ ଅସୁମାରୀ
ସରି ଆସେ ରାତି ନାଶି ଅରାତି
ଅନ୍ଧାର ଯାଏ ଦୂରକୁ ଘୁଞ୍ଚି
ନବ ଉତ୍ସାହ ଆନନ୍ଦରେ ଶଯ୍ୟା ତେଜି
ଜୀବନ ରଖେ ଆଶାକୁ ତାର ସଞ୍ଚି
ଅନାଇଁ ଦେଖେ ଯେବେ ଶିଶିର ବିନ୍ଦୁ
ଟିକି ଟିକି ଘାସର ପତରରେ
ଝଲସେ ମଣି ମୁକ୍ତା ସମ
ବାଳ ସୂରୁଜ କିରଣ ବରଣେ
ଚୁପି ଚୁପି କହେ ନୀରବରେ
ସାଇତି ରଖ ସ୍ମରଣେ
ହସେ ଜୀବନ ଆଲୋକ ପ୍ରକାଶେ
ପର ହୁଏ ନିଜର ସୁନ୍ଦର ଆଚରଣେ
ମୁଁ ଶିଶିର ବିନ୍ଦୁ ନିମିଷକର
ଝରି ଯିବି ହସ ଟିକେ ଦେଇ,
ହସୁଥିବ ଏ ଜଗତ
ହୃଦୟରୁ ଅଜାଡ଼ି ଦେଲେ ଶ୍ରଦ୍ଧା
ନିର୍ମଳ ମନରେ ନିର୍ବିକାର ହୋଇ ।