ଶୀତ ଆମ ମିତ
ଶୀତ ଆମ ମିତ
ପୃଥିବୀର ଆବର୍ତ୍ତନ ପରିକ୍ରମଣ
ସଙ୍ଗେ ସଙ୍ଗେ ଚକ୍ରାକାରେ
ଏକ ପରେ ଏକ ଋତୁ ବଦଳୁ ଥାଏ,
କ୍ରମାନୁସାରେ ଶୀତ ଆସି
ନିଜ ସ୍ଵଭାବ ଦେଖାଇ ଚାଲିଯାଏ।
ଜୀବଜଗତର ଜୀବନଯାତ୍ରାକୁ
ବହୁମାତ୍ରାରେ କରେ ସେ ପ୍ରଭାବିତ
ସୁଖ ଦିଏ ଦୁଃଖ ବି ଦିଏ ଅଜାଡି,
ପାଗ ବଦଳେ ଜଳବାୟୁ ବଦଳେ
ମଣିଷ ବଞ୍ଚେ ଜୀବନ ଶୈଳୀକୁ ସଜାଡି।
ଶୀତ ଆସି କମାଇ ଦିଏ
ଭୂପୃଷ୍ଠରେ ବଢୁଥିବା ତାପମାତ୍ରା
ଶରୀର ପାଏ ତାର ଅସହ୍ୟ ପୀଡା,
ସର୍ବାଙ୍ଗକୁ ଆବୃତ୍ତ କରି ଗରମ ପୋଷାକେ
ତା' ଆଗରେ ଦୃଢଭାବେ ହୁଏ ଛିଡା।
ଶୀତର ପ୍ରକୋପେ ଗଲେ ବଢି
ବୃଦ୍ଧବୃଦ୍ଧା ଗରିବ ଅସହାୟ ଜନ
ସୀମାନ୍ତରେ ପ୍ରତିରକ୍ଷା ବାହିନୀ
ପାନ୍ତି ଅନେକ କଷ୍ଟ ଯନ୍ତ୍ରଣା,
ତଥାପି ଜୀବନ ଯୁଦ୍ଧ ଯୁଝୁଥାନ୍ତି
ନ କରି କା' ସାଥେ ପ୍ରତାରଣା।
ମାଘ ମାସେ ହାଡଭଙ୍ଗା ଶୀତ
ଝଡ଼ି ବରଷା କୁହୁଡ଼ି ହେମାଳ ଲହରୀ ,
ସହି ନ ପାରି ଜୀବଜନ୍ତୁ
ଅସହାୟ ମଣିଷ ଯାନ୍ତି ଥରି।
ତଥାପି ଶୀତର ରାଜ୍ୟତ୍ଵ କାଳେ
ଖାଦ୍ୟ ଦ୍ରବ୍ୟ ପନିପରିବା ଭାରି ଶସ୍ତା,
ମନ ଆନନ୍ଦେ ଖାଇ ଖୁଆଏ ଚଷା
କେହି ହୁଅନ୍ତି ନାହିଁ ହୀନସ୍ଥା।
ରଖିବାକୁ ପ୍ରକୃତିର ଭାରସାମ୍ୟ
ଶୀତ ଆସେ ଧରାପୃଷ୍ଠକୁ ଅବତରୀ,
ଦେଲେ ବି ବହୁ କଷ୍ଟ ଯନ୍ତ୍ରଣା
ପରିବେଶ ପରିସ୍ଥିତିକୁ ଦିଏ ସୁଧାରି।
ଅଳସପଣେ ରହିଲେ ଶୀତକୁ ଡରି
ହୁଏ ନା କିଛି କାମ କରି,
ଶୀତ ଆମ ମିତ... ନୁହେଁ ବଇରି
ପ୍ରଗତି ପଥେ ନିଏ ଆମକୁ ଓଟାରି।
ପ୍ରତିକୂଳ ପରିବେଶ ପରିସ୍ଥିତି
ମଜଭୁତ କରେ ଶରୀର ମନକୁ,
ଶୀତ ଭବିଷ୍ୟତ ପାଇଁ ସୁଯୋଗ ଆଣି
ଆମକୁ ବଢାଇ ଥାଏ ଆଗକୁ।
