ଜଗିକି ଥିବୁ
ଜଗିକି ଥିବୁ
ବାହାରକୁ ତୁ ଆସିଛୁ କାଳିଆ
ମେଘ ବରଷାକୁ ଜଗିକି ଥିବୁ
ଏତେ ଦିନେ ତୋତେ ଦେଖୁଛି ଭକତ
ଭକ୍ତ ଆବେଗକୁ ଜଗିକି ଥିବୁ ।
ମହାମାରୀ ଟିଏ ବାହାରେ ବୁଲୁଛି
ନିଜ ଦେହକୁ ଜଗିକି ଥିବୁ
ଏବେ ତ ଜରରୁ ଉଠିଛୁ ଧନରେ
କହୁଛି ତୁ ଟିକେ ଜଗିକି ଥିବୁ ।
ତୋ ରୂପ ନ ଦେଖି ବାଇଆ ସମସ୍ତେ
ନଜରକୁ ଟିକେ ଜଗିକି ଥିବୁ
ମାଉସୀ ଘରକୁ ଯିବୁ ତୁ ମଉଜେ
ଲକ୍ଷ୍ମୀଙ୍କ କୋପକୁ ଜଗିକି ଥିବୁ ।
କାଳିଆ ହାତୀ ମୋ ନୟନ ପିତୁଳା
ମୋ ଲୁହ ବନ୍ୟାକୁ ଜଗିକି ଥିବୁ
ହାତ ଟେକି ତୁ ଯେ ଡାକୁଛୁ ମଣିମା
ହୃଦୟ ଭାବକୁ ଜଗିକି ଥିବୁ ।
ସାରା ବିଶ୍ବ ଆଜି ତୋତେ ହିଁ ଚାହୁଁଛି
ଭଲରେ ଯାଇ ତୁ ଭଲରେ ଫେରିବୁ
ଦଳି ଦେଇ ସବୁ ଦୁଃଖ ଯାତନାକୁ
ସୁଖ ଦଳିବୁନି ଜଗିକି ଥିବୁ ।
ଶୂନ୍ୟ ମନ୍ଦିରର ରତ୍ନ ସିଂହାସନ
ଶୁଭ ଆଗମନେ ପୂର୍ଣ୍ଣ କରିବୁ
ତୋହରି ବାଟକୁ ଅଗଣିତ ଭକ୍ତ
ସବୁ ଆମେ ସଦା ଜଗିକି ଥିବୁ ।